ହେଲମେଟ ନଥିଲେ ସରକାରୀ କର୍ମଚାରୀ କାର୍ଯ୍ୟାଳୟରେ କରି ପାରିବେ ନାହିଁ ପ୍ରବେଶ: ଜିଲ୍ଲାପାଳ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ହେଲମେଟକୁ ନେଇ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏଠାରେ ସରକାରୀ କାର୍ଯ୍ୟାଳୟରେ ‘ନୋ ହେଲମେଟ ନୋ ଏଣ୍ଟ୍ରି’ ଅଭିଯାନ ଲାଗୁ କରାଯାଇଛି। ଏଥିପାଇଁ କ‌ାର୍ଯ୍ୟାଳୟ ସମ୍ମୁଖରେ ପୁଲିସ କର୍ମଚାରୀଙ୍କୁ ବି ନିୟୋଜିତ କରାଯାଇଛି। ତେବେ ଏହି ଆଦେଶକୁ ଜିଲ୍ଲାପାଳ ବିନୟ ଗୋଡା ଜାରି କରିଛନ୍ତି।

ଏହି ଘଟଣାକୁ ନେଇ ଜଣେ ଅଧିକାରୀ କହିଛନ୍ତି, ‘ଯେଉଁ କର୍ମଚାରୀମାନେ ବିନା ହେଲମେଟରେ ଦୁଇଚକିଆ ଗାଡ଼ି ଚଢ଼ି ଆସୁଛନ୍ତି ସେମାନଙ୍କ ଚାଲାଣ କଟାଯାଉଛି। ଏଭଳି ଭାବେ ପ୍ରତିଦିନ ପାଖାପାଖି ୨୫ରୁ ୩୦ଜଣ ଦୁଇ ଚକିଆ ଗାଡ଼ି ଚାଳକଙ୍କ ଚାଲାଣ କଟାଯାଉଛି। ତେବେ ଏହି ଆଦେଶ ସାଧାରଣଲୋକଙ୍କ ପାଇଁ ନୁହେଁ କେବଳ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଲାଗୁ କରାଯାଇଛି।

ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଏସପିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟରେ ବି ‘‘ନୋ ହେଲମେଟ ନୋ ଏଣ୍ଟ୍ରି’ ନିୟମ ଲାଗୁ କରାଯାଇଛି। ଏଥିସହିତ କାର ଚାଳକଙ୍କୁ ସିଟ ବେଲଟ ଲଗାଇବା ପ୍ରତି ଜାଗୃତ କରାଯାଉଛି। ଏଭଳି ଅଭିଯାନକୁ ନେଇ କିଛିଲୋକ ପୁଲିସ କର୍ମଚାରୀଙ୍କ ସହିତ ଯୁକ୍ତି ବି କରୁଛନ୍ତି।

ତେବେ ପୁଲିସ ପ୍ରଥମେ ଯୁକ୍ତି କରୁଥିବା ଲୋକଙ୍କୁ ଅଭିଯାନ ବିଷୟରେ ବୁଝାଉଛି। ତ‌ା’ପରେ ଚାଲାଣ କାଟି କହୁଛି, ‘ ଯଦି ଏଥିରେ ହେଳା କରାଯାଏ ତେବେ କେହି ବି ଏହି ନିୟମ ମାନିବେ ନାହିଁ। ତେଣୁ ଚାଲାଣ କାଟିବା ପାଇଁ ଆମେ ବାଧ୍ୟ।’

 

 

ସମ୍ବନ୍ଧିତ ଖବର