ମଧ୍ୟ ପ୍ରଦେଶରେ ବର୍ଷା ବିତ୍ପାତ, ମୃତ୍ୟୁ ସଂଖ୍ୟା ୨୪ ଛୁଇଁଲା

୨୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ଭୋପାଳ: ମଧ୍ୟ ପ୍ରଦେଶର ଚମ୍ବଲ-ଗ୍ବାଲିୟର ଅଞ୍ଚଳରେ ଗତଏକ ସପ୍ତାହ ହେଲା ଭୀଷଣ ବର୍ଷା ଲାଗି ରହିଛି। ଫଳରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁଁ ମୃତ୍ୟୁ ସଂଖ୍ୟା ରବିବାର ୨୪ ଛୁଇଁଛି। ଅଗଷ୍ଟ ୧ ତାରିଖରୁ ୭ ତାରିଖ ମଧ୍ୟରେ ବର୍ଷା ଓ ବନ୍ୟାରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରାଜସ୍ବ ସଚିବ ଜ୍ଞାନେଶ୍ବର ପାଟିଲ ସୂଚନା ଦେଇଛନ୍ତି। ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ସେନା ଏବଂ ବାୟୁସେନା ପକ୍ଷରୁ ବନ୍ୟା ଦାଉରୁ ୮,୮୦୦ ଲୋକଙ୍କ ଜୀବନ ବଞ୍ଚାଇଥିବାବେଳେ ୨୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଗ୍ବାଲିୟର, ଶିବପୁରୀ, ଗୁନା, ଶ୍ରୋପୁର, ଦତିଆ, ଅଶୋକନଗର, ଭିଂଡ ଏବଂ ମୁରୈନା ଜିଲ୍ଲାରେ ମୁସଳଧାରାରେ ବର୍ଷା ଲାଗି ରହିବାରୁ ୧,୨୫୦ ଗାଁ ଏବେବି ବନ୍ୟାଜଳ ଘେରରେ ରହିଛି। ଶୁକ୍ରବାର ରାତିରେ ପାର୍ବତୀ ନଦୀର ବନ୍ୟାଜଳ ଓଭର ଫ୍ଲୋ ହେବାରୁ ୧୪୫ ଲୋକ ନିଜ ଘର ଭିତରେ ପାଣି ଘେରରେ ଫସି ରହିଥିଲେ। ହେଲିକପ୍ଟର ଓ ଡଙ୍ଗା ଯୋଗେ ସେମାନଙ୍କୁଉଦ୍ଧାର କରାଯାଇଥିଲା।

Zee News

ପ୍ରବଳ ବର୍ଷା ହେତୁ ରାଜ୍ୟରେ ବିପୁଳ କ୍ଷୟକ୍ଷତି ହୋଇଛି। ବନ୍ୟାରେ ୨୫ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ନଦୀରେ ବନ୍ୟାଜଳ ପ୍ରବଳ ଗତିରେ ଆସିବାରୁ ୬ଟି ପୋଲ ଭାସିଯାଇଛି। ଉଦ୍ଧାରକାର୍ଯ୍ୟ ପାଇଁ ୫ ୟୁନିଟ ସେନା, ୨୯ ଟିମ୍‌ ଏସ୍‌ଡିଇଆର୍‌ଏଫ୍‌, ୯ ୟୁନିଟ୍‌ ଏନ୍‌ଡିଆର୍‌ଏଫ୍‌, ବାୟୁସେନାର ୩ଟି ହେଲିକପ୍ଟର ମୁତୟନ ଅଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଳନାଥ ବିମାନରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ବିଜେପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଶିବରାଜ ସିଂହ ଚୌହାନଙ୍କ ସରକାର ରାଜନୀତିରେ ବ୍ୟସ୍ତ। ସେଥିପାଇଁ ରାଜ୍ୟବାସୀଙ୍କର ବର୍ଷା ଏବଂ ବନ୍ୟାରେ ବ୍ୟାପକ କ୍ଷତି ହୋଇଛି। ପୂର୍ବରୁ ଏଭଳି କେବେ ହୋଇ ନଥିଲା। ଭାସି ଯାଇଥିବା ପୋଲ ଏବଂ ଭାଙ୍ଗି ଯାଇଥିବା ଘରର ତୁରନ୍ତ ମରାମତି ସହ କ୍ଷତିଗ୍ରସ୍ତ ଲୋକଙ୍କୁ ସହଯୋଗର ହାତ ବଢ଼ାଇବାକୁ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର