ଦିନକୁ ୩ ଲକ୍ଷ ଟେଷ୍ଟ୍‌ ପାଇଁ ଭାରତ ପ୍ରସ୍ତୁତ, ଆରୋଗ୍ୟ ହାର ୫୨.୪୭ ପ୍ରତିଶତକୁ ବୃଦ୍ଧି

୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ସୁସ୍ଥ ହେଲେ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଆଜି ୩ ଲକ୍ଷ ୪୩ ହଜାର ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦ ହଜାର ୬୬୭ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୩୮୦ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାନୁଯାୟୀ ଦେଶରେ ଆରୋଗ୍ୟ ହାର ୫୨.୪୭ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟ‌ା ମଧ୍ୟରେ ୧୦ ହଜାର ୨୧୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ୧ ଲକ୍ଷ ୮୦ ହଜାରରୁ ଅଧିକ ଜଣ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି। ତେବେ ଦେଶରେ ଏବେ ସକ୍ରିୟ ମାମଲା ହେଉଛି ୧ ଲକ୍ଷ ୫୩ ହଜାର ୧୭୮। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ, ଦେଶ ଏବେ ଦିନକୁ ୩ ଲକ୍ଷ କରୋନା ଟେଷ୍ଟ୍‌ କରିପାରିବ।

ଦିନକୁ ୩ ଲକ୍ଷ ଟେଷ୍ଟ୍‌ ପାଇଁ ଭାରତର ସକ୍ଷମତା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟ‌ାରେ ଦେଶରେ ୧ ଲକ୍ଷ ୫୪ ହଜାର ୯୩୫ ନମୁନା ପରୀକ୍ଷା‌ କରାଯାଇଛି। ତେବେ ମୋଟ୍‌ ୫୯ ଲକ୍ଷ ୨୧ ହଜାର ୬୯ଟି ନମୁନା ପରୀକ୍ଷା ହୋଇଛି। ଦେଶରେ ଏବେ ମୋଟ୍‌ ୯୦୭ଟି ଲ୍ୟାବ୍‌ ରହିଛି। ୬୫୯ଟି ସରକାରୀ ଏବଂ ୨୪୮ଟି ଘରୋଇ ଲ୍ୟାବ୍‌ ରହିଛି। ସେହିପରି ଦେଶରେ ୫୩୪ଟି ଆରଟି -ପିସିଆର ଟେଷ୍ଟିଂ ଲ୍ୟାବ୍‌ ରହିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ଆଜି ୩ ଲକ୍ଷ ୪୩ ହଜାର ୯୧ରେ ପହଞ୍ଚିଛି। ୯,୯୦୦ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୧୦ ହଜାର ୭୪୪ ମାମଲା ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୦୦ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର