କରୋନା ଆତଙ୍କ! ଚୀନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଅସ୍ଥାୟୀ ଭାବେ ଇ-ଭିିସା ସୁବିଧା ବନ୍ଦ କଲା ଭାରତ

ନୂଆଦିଲ୍ଳୀ: କରୋନା ଭାଇରସ୍‌ ହେତୁ ଭାରତ ସରକାର ରବିବାର ଚୀନବାସୀ କିମ୍ବା ଚୀନରେ ରହୁଥିବା ଅନ୍ୟ ବିଦେଶୀ ଯାତ୍ରୀଙ୍କ ପାଇଁ ଉପଲବ୍ଧ ଥିବା ଇ-ଭିସା ସୁବିଧାକୁ ବନ୍ଦ କରି ଦେଇଛନ୍ତି। ଚୀନ, ଭାରତ, ଆମେରିକା ଓ ଲଣ୍ଡନ ଆଦି ସହରକୁ ମିଶାଇ ପ୍ରାୟ ୨୫ଟି ଦେଶକୁ ବ୍ୟାପିଥିବା ଏହି ଭାଇରସ୍‌ ଦ୍ବାରା ପ୍ରାୟ ୧୪,୫୬୨ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ଏଥିରେ ୩୦୦ରୁ ଊର୍ଧ୍ବ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ଏହି ଭାଇରସ୍‌ ଦିନକୁ ଦିନ ବଢୁଥିବା କାରଣରୁ ଅସ୍ଥାୟୀ ଭାବେ କରୋନା ପ୍ରପୀଡ଼ିତ ଚୀନ୍‌ରୁ ଭାରତକୁ ଆସିବା ପାଇଁ ଇ-ଭିସାକୁ ବନ୍ଦ କରି ଦିଆଯାଇଛି ବୋଲି ଚୀନରେ ଥିବା ଭାରତୀୟ ଦୂତବାସ ସୂଚନା ଦେଇଛି।

ଏପଟେ କରୋନା ଭାଇରସ୍‌ର ଏନ୍ତୁଡ଼ିଶାଳ କୁହାଯାଉଥିବ ଚୀନର ଉହାନ ସହରରୁ ଭାରତୀୟମାନଙ୍କୁ ମୁକୁଳାଇ ନିଜ ଦେଶକୁ ଫେରାଇ ଅଣାଯାଉଛି। କରୋନା ଭାଇରସ୍‌ ସଂକ୍ରମିତ ଚୀନ୍‌ ସହର ଉହାନ୍‌ରୁ ୩୨୩ ଜଣ ଭାରତୀୟ ଏବଂ ୭ ଜଣ ମାଳଦ୍ୱୀପବାସୀଙ୍କୁ ଧରି ଏୟାର୍‌ଇଣ୍ଡିଆର ଦ୍ୱିତୀୟ ବିମାନ ରବିବାର ସକାଳେ ନୂଆଦିଲ୍ଲୀରେ ଅବତରଣ କରିଛି। ରବିବାର ପାହାନ୍ତା ୩: ୧୦ ମିନିଟ୍‌ରେ ଏହି ବିମାନଟି ଉହାନ୍‌ରୁ ଉଡ଼ାଣ ଆରମ୍ଭ କରିଥିଲା।

Image Source: Zee News

ଶନିବାର ଦିନ ପ୍ରଥମ ଛେକରେ ଏୟାର୍‌ଇଣ୍ଡିଆ ବିମାନ ୩୨୪ ଜଣ ଭାରତୀୟଙ୍କୁ ଧରି ଏୟାର ଇଣ୍ଡିଆର ଅନ୍ୟ ଏକ ବିମାନ ଦିଲ୍ଲୀ ଆସିଥିଲା। ସେମାନଙ୍କ ମଧ୍ୟରୁ ତିନି ଜଣ ଥିଲେ ନାବାଳକ ଏବଂ ୨୧୧ଜଣ ଥିଲେ ବିଦ୍ୟାର୍ଥୀ। ଉହାନ୍‌ରୁ ଭାରତ ସରକାର ନିଜର ନାଗରିକମାନଙ୍କୁ ସ୍ଥାନାନ୍ତର କରୁଥିବା ଦେଖି ସେଠାରେ ଥିବା ପାକିସ୍ତାନୀ ବିଦ୍ୟାର୍ଥୀମାନେ ସାହାଯ୍ୟ ଲାଗି ନିବେଦନ କରିବା ସହ ପାକିସ୍ତାନ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଘନିଷ୍ଠ ବନ୍ଧୁ ଦେଶ ଚୀନ୍‌ର ଏ ଭଳି ଦୁଃସମୟରେ ସମ୍ବେଦନା ପ୍ରଦର୍ଶନ ପୂର୍ବକ ନିଜର ନାଗରିକମାନଙ୍କୁ ଉହାନ୍‌ରୁ ସ୍ଥାନାନ୍ତର କରିବ ନାହିଁ ବୋଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି।

ସମ୍ବନ୍ଧିତ ଖବର