ଭାରତୀୟଙ୍କୁ ସ୍ଥାନାନ୍ତର କରିବା ଆଗରୁ କରୋନାଭାଇରସ୍‌ ପରୀକ୍ଷା ପାଇଁ ଇରାନ୍‌ରେ ଲ୍ୟାବ୍‌ ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣ ପରୀକ୍ଷା କରିବା ନିମନ୍ତେ ଇରାନ୍‌ରେ ଏକ ଅସ୍ଥାୟୀ ପରୀକ୍ଷାଗାର ନିର୍ମାଣ କରିବାକୁ ଭାରତ ପ୍ରସ୍ତୁତି କରୁଛି। ଇରାନ୍‌ରେ ପ୍ରାୟ ୧୨୦୦ ଭାରତୀୟ ଅଟକି ରହିଛନ୍ତି। ସେମାନେ କରୋନାଭାଇରସ୍‌ ଦ୍ୱାରା ସଂକ୍ରମିତ କି, ନୁହେଁ, ସେଠାରେ ପରୀକ୍ଷା କରାଯିବା ପରେ ସେମାନଙ୍କୁ ସ୍ୱଦେଶ ଫେରାଇ ଅଣାଯିବ। ବୁଧବାର ଦିନ ସରକାରୀ ଅଧିକାରୀମାନେ ଏ କଥା କହିଛନ୍ତି।

ଇରାନ୍‌ରେ ଅଟକି ରହିଥିବା ଭାରତୀୟମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବିଦ୍ୟାର୍ଥୀ ଓ ତୀର୍ଥଯାତ୍ରୀ।

ଏଥିପାଇଁ ‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ର ଚାରିଜଣ ବୈଜ୍ଞାନିକ ଇରାନ୍‌ର ରାଜଧାନୀ ତେହେରାନ୍‌ରେ ପହଞ୍ଚିଛନ୍ତି। କରୋନାଭାଇରସ୍‌ ସଂକ୍ରମଣ ପରୀକ୍ଷା ନିମନ୍ତେ ଆବଶ୍ୟକ ଉପକରଣ ଏବଂ ପରୀକ୍ଷା କିଟ୍‌ ମଧ୍ୟ ସେମାନଙ୍କ ସହ ପଠଯାଇଛି।

Image Source: Hindustan Times

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ସେଠାରେ ପରୀକ୍ଷାଗାରଟିଏ ନିର୍ମାଣ କରିବା ଏବଂ ନାଗରିକମାନଙ୍କୁ ଫେରାଇ ଆଣିବା ନିମନ୍ତେ ପରିବହନ ବ୍ୟବସ୍ଥା ସଂକ୍ରାନ୍ତରେ ଆମେ ଇରାନ୍‌ ସରକାରଙ୍କ ସହ ଯୋଗାଯୋଗ ରଖିଛୁ। ଇରାନ୍‌ରେ କରୋନାଭାଇରସ୍‌ ସଂକ୍ରମଣ ଦ୍ରୁତ ବେଗରେ ବଢ଼ିଚାଲିଥିବାରୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଭାରତ ଚୀନ୍‌ର ଉହାନ୍‌ ଏବଂ ଜାପାନରୁ ୮୮୧ଜଣ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରି ସାରିଛି।

ସମ୍ବନ୍ଧିତ ଖବର