ପାକିସ୍ତାନକୁ ସେନାମୁଖ୍ୟଙ୍କ ଚେତାବନୀ

ଶ୍ରୀନଗର: କାରଗିଲ୍‌ ବିଜୟ ଦିବସ ଅବସରରେ ଆଜି ଭାରତୀୟ ସେନାମୁଖ୍ୟ ବିପିନ ରାୱତ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। କାରଗିଲ ବିଜୟ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ‌ରେ ରାୱତ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି, ସାଧାରଣତଃ ବାରମ୍ବାର କେହି ଦୁଃସାହସ ପ୍ରକାଶ କରନ୍ତି ନାହିଁ। ତେଣୁ ଅତୀତରେ ପାକିସ୍ତାନ ଯେଉଁ ଭୁଲ୍‌ କରିଥିଲା ସେହି ଭୁଲ୍‌ର ପୁନରାବୃତ୍ତି ନହେବା ଉଚିତ୍‌ । ନ‌ଚେତ୍‌ ପାକିସ୍ତାନକୁ ଅତି ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ରାୱତ କହିଛନ୍ତି। ଦେଶ ତା’ର ସୀମାରେ କୌଣସି ରାଷ୍ଟ୍ରର ସାମାନ୍ୟତମ ଦୁଃସାହସକୁ ବରଦାସ୍ତ କରିବ ନାହିଁ। ଯଦି ପାକିସ୍ତାନ କେବେ ବି ଭବିଷ୍ୟତରେ କାରଗିଲ ଭଳି ସ୍ଥିତି ସୃଷ୍ଟି କରିବ ତା’ହେଲେ ଏହାକୁ ଭୟାନକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିବ। ଭାରତୀୟ ସେନା ଏବେ ବଡ଼ ଧରଣର ଆଧୁନିକୀକରଣ ଦିଗରେ ଅଗ୍ରସର ହେଉଛି। ୨୦୨୦ ସୁଦ୍ଧା ‌ସେନାକୁ ହୋଇଜର, କେ-୯ ବଜ୍ର ସମେତ ବିଭିନ୍ନ ଯୁଦ୍ଧାସ୍ତ୍ର ମିଳିବ ବୋଲି ରାୱତ କହିଛନ୍ତି। ସମଗ୍ର ଜମ୍ମୁ କଶ୍ମୀର ଉପରେ ଭାରତର ଅଧିକାର ଅଛି ଏପରିକି ପିଓକେ (ପାକିସ୍ତାନ ଅଧିକୃତ କଶ୍ମୀର) ଉପରେ ମଧ୍ୟ ଭାରତର ଅଧିକାର ଅଛି ବୋଲି ରାୱତ କହିଛନ୍ତି।

ସମ୍ବନ୍ଧିତ ଖବର