ଭାରତର ଜନସଂଖ୍ୟା ୧୪୪ କୋଟି ହେବ ବୋଲି ଆକଳନ କରାଯାଇଛି: ମିଳିତ ଜାତିସଂଘ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ୧୪୪ କୋଟିରେ ପହଞ୍ଚିଛି ଏବଂ ୨୪ ପ୍ରତିଶତ ୦-୧୪ ବର୍ଷ ବୟସ ବର୍ଗର ବୋଲି ଆକଳନ କରାଯାଇଛି।

ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍‌ଏଫ୍‌ପିଏ)ର ଷ୍ଟେଟ୍‌ ଅଫ୍‌ ୱାର୍ଲ୍‌ଡ ପପୁଲେସନ୍‌- ୨୦୨୪ ରିପୋର୍ଟ ‘ପରସ୍ପର ସହ ଜଡ଼ିତ ଜୀବନ, ଆଶାର ସୂତ୍ର: ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ଓ ଅଧିକାରରେ ଅସମାନତା ଦୂର’ ରିପୋର୍ଟରୁ ଜଣାପଡ଼ିଛି ଯେ ୭୭ ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟା ଦୁଇଗୁଣ ହେବ ବୋଲି ଆକଳନ କରାଯାଇଛି।
୧୪୪.୧୭ କୋଟି ଜନସଂଖ୍ୟା ସହ ଭାରତ ବିଶ୍ୱସ୍ତରରେ ଶୀର୍ଷରେ ଥିବା ବେଳେ ଚୀନ୍‌ ୧୪୨.୫ କୋଟି ଜନସଂଖ୍ୟା ସହ ଦ୍ଵିତୀୟ ସ୍ଥାନରେ ରହିଛି।

ଗତ ୨୦୧୧ ଜନଗଣନାରେ ଭାରତର ଜନସଂଖ୍ୟା ୧୨୧ କୋଟି ରେକର୍ଡ କରାଯାଇଥିଲା।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଭାରତର ଆନୁମାନିକ ୨୪ ପ୍ରତିଶତ ଲୋକ ୦-୧୪ ବର୍ଷ ବୟସର ହୋଇଥିବା ବେଳେ ୧୭ ପ୍ରତିଶତ ୧୦-୧୯ ବର୍ଷ ବୟସ ମଧ୍ୟରେ ଅଛନ୍ତି।

୧୦ରୁ ୨୪ ବର୍ଷ ବୟସର ଏହି ବର୍ଗରେ ୨୬ ପ୍ରତିଶତ ଥିବା ବେଳେ ୧୫ରୁ ୬୪ ବର୍ଷ ବୟସ ବର୍ଗର ସଂଖ୍ୟା ୬୮ ପ୍ରତିଶତ ବୋଲି ଆକଳନ କରାଯାଇଛି। ଏହାବ୍ୟତୀତ ଭାରତର ଜନସଂଖ୍ୟାର ୭ ପ୍ରତିଶତ ଲୋକ ୬୫ ବର୍ଷରୁ ଅଧିକ ବୟସ୍କ ହୋଇଥିବା ବେଳେ ପୁରୁଷଙ୍କ ଆୟୁଷ ୭୧ ବର୍ଷ ଏବଂ ମହିଳାଙ୍କ ଆୟୁଷ ୭୪ ବର୍ଷ।

ରିପୋର୍ଟରେ ଦର୍ଶାଯାଇଛି ଯେ ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୦ ବର୍ଷର ଅଗ୍ରଗତି ଅଧିକାଂଶ ସମୟରେ ବିଶ୍ୱର ସବୁଠାରୁ ଅବହେଳିତ ସମ୍ପ୍ରଦାୟକୁ ଅଣଦେଖା କରିଛି। ରିପୋର୍ଟ ଅନୁଯାୟୀ, ୨୦୦୬-୨୩ ମଧ୍ୟରେ ଭାରତରେ ବାଲ୍ୟ ବିବାହ ହାର ୨୩ ଥିଲା। ରିପୋର୍ଟରେ ଦର୍ଶାଯାଇଛି, ଭାରତରେ ମାତୃ ମୃତ୍ୟୁ ଯଥେଷ୍ଟ ହ୍ରାସ ପାଇଛି, ଯାହା ସମଗ୍ର ବିଶ୍ୱରେ ହୋଇଥିବା ମୋଟ ମୃତ୍ୟୁର ୮ ପ୍ରତିଶତ ଅଟେ।

ସୁଲଭ, ଗୁଣାତ୍ମକ ମାତୃ ସ୍ୱାସ୍ଥ୍ୟ ସେବାର ଉନ୍ନତ ଉପଲବ୍ଧତା ଏବଂ ସ୍ୱାସ୍ଥ୍ୟ ଫଳାଫଳ ଉପରେ ଲିଙ୍ଗଗତ ଭେଦଭାବର ପ୍ରଭାବକୁ ଦୂର କରିବା ପାଇଁ ପ୍ରୟାସ ଯୋଗୁଁ ଭାରତର ସଫଳତାକୁ ଦାୟୀ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି।

ତେବେ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ମାତୃ ମୃତ୍ୟୁ ଆଶଙ୍କାରେ ନାଟକୀୟ ଅସମାନତା ଦେଖିବାକୁ ମିଳୁଛି। ପିଏଲଓଏସ ଗ୍ଲୋବାଲ ପବ୍ଲିକ ହେଲ୍ଥ ଦ୍ୱାରା ଭାରତରେ ଜିଲ୍ଲାସ୍ତରୀୟ ମାତୃ ମୃତ୍ୟୁ ହାରର ଆକଳନ ଏବଂ ସମ୍ପର୍କ ଶୀର୍ଷକ ଏକ ରିପୋର୍ଟକୁ ଉଦ୍ଧୃତ କରି ୟୁଏନ୍‌ଏଫ୍‌ପିଏ କହିଛି ଯେ ଭାରତର ୬୪୦ ଟି ଜିଲ୍ଲା ଉପରେ ନିକଟରେ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ ମାତୃ ମୃତ୍ୟୁ ହାର ପ୍ରତି ୧୦୦,୦୦୦ ଜନ୍ମରେ ୭୦ରୁ କମ୍‌ କରିବାର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିଥିବା ବେଳେ ୧୧୪ଟି ଜିଲ୍ଲାରେ ଏବେ ବି ଅନୁପାତ ୨୧୦ କିମ୍ବା ତା’ଠାରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର