ଆହୁରି ୪ଦିନ ଜାରି ରହିବ ଗ୍ରୀଷ୍ମ ଲହରି: ୫ ସହରରେ ପାରା ଛୁଇଁପାରେ ୪୫ ଡିଗ୍ରି

ଭୁବନେଶ୍ବର: ରାଜ୍ୟରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରି ଜାରି ରହିବ। ୫ଟି ସହରରେ ତାପମାତ୍ରା ୪୫ ଡିଗ୍ରି ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ରେ କୁହାଯାଇଛି ଯେ, ଆଜି ବାରିପଦାରେ ପାରା ୪୪ ଡିଗ୍ରି ଓ ଅନୁଗୁଳ, ବୌଦ୍ଧ, ନୂଆପଡ଼ା ଓ ମାଲକାନଗିରିରେ ଦିନର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରି ଛୁଇଁପାରେ। ସେହିପରି ଝାରସୁଗୁଡ଼ା ଚାନ୍ଦବାଲି, ଜଗତସିଂହପୁର, ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, ପାରଳାଖେମୁଣ୍ଡିରେ ତାପମାତ୍ରା ୪୨ ଡିଗ୍ରି କେରର୍ଡ କରାଯାଇପାରେ।

ଏପ୍ରିଲ ୧୮ ତାରିଖରେ ବାରିପଦାର ତାପମାତ୍ରା ୪୫ ଡିଗ୍ରି ହେବାର ଆକଳନ କରାଯାଇଥିବା ବେଳେ ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ମାଲକାନଗିରିରେ ତାପମାତ୍ରା ୪୪ ଡିଗ୍ରି ରେକର୍ଡ କରାଯାଇପାରେ। ନୂଆପଡ଼ା, ଝାରସୁଗୁଡ଼ା, ଭଦ୍ରକ, ଖୋର୍ଦ୍ଧା, ବାଲେଶ୍ବର ଓ ନୟାଗଡ଼ରେ ୪୩ ଡିଗ୍ରି ପାରା ପହଞ୍ଚିପାରେ।

ଏପ୍ରିଲ ୧୯ ତାରିଖରେ ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ, ବାରିପଦା ଓ ମାଲକାନଗିରିରେ ତାପମାତ୍ରା ୪୫ ଡିଗ୍ରି ରେକର୍ଡ ହେବାର ଆକଳନ କରାଯାଉଛି। ସମ୍ବଲପୁର, ନୂଆପଡ଼ା ଓ ଟିଟିଲାଗଡ଼ରେ ତାପମାତ୍ରା ୪୪ ଡିଗ୍ରି ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। ଏପ୍ରିଲ ୨୦ ଓ ୨୦ ତାରିଖ ଦିନ ମଧ୍ୟ ତାତିରୁ ନିସ୍ତାର ମିଳିବ ନାହିଁ। ଏହି ଦୁଇ ଦିନ ସମ୍ବଲପୁରରେ ପାରା ୪୪ ଡିଗ୍ରି ରହିପାରେ। ଏପ୍ରିଲ ୨୦ରେ ସମ୍ବଲପୁର, ସୋନପୁର ଓ ଟିଟିଲାଗଡ଼ରେ ତାପମାତ୍ରା ୪୪ ଡିଗ୍ରି ରହିପାରେ। କିନ୍ତୁ ଅନ୍ୟ ସହରରେ ତାପମାତ୍ରା ୧ରୁ ୨ ଡିଗ୍ରି ହ୍ରାସ ପାଇବାର ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର