ଆମେରିକା-ଇରାନ ଯୁଦ୍ଧ ଲାଗିଲେ ବିଶ୍ୱରେ ତୈଳ ସଂକଟ ଦେଖାଯିବ, ଜାଣନ୍ତୁ ଭାରତର ଜରୁରୀକାଳୀନ ଭଣ୍ଡାରରେ କେତେ ତେଲ ଅଛି

ନୂଆଦିଲ୍ଲୀ : ଆମେରିକା ଦ୍ୱାରା ଇରାନ ସେନାର କୁଦସ୍‌ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା ପରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଦେଖାଦେଇଛି । ଏହାର ଭୟଙ୍କର ପ୍ରତିଶୋଧ ନେବାକୁ ଇରାନ ଧମକ ଦେଇଛି । ବିଶେଷଜ୍ଞଙ୍କ ମତରେ ଯୁଦ୍ଧ ଆରମ୍ଭ ହେଲେ ଇରାନ ଷ୍ଟ୍ରେଟ ଅଫ ହର୍ମୁଜକୁ ବନ୍ଦ କରିଦେବ । ଏହା ଫଳରେ ତେଲ ପାଇଁ ବିଶ୍ୱରେ ହାହାକାର ଖେଳିଯିବ ।

Image Credit : Tehran Times

ଏପରି ହେଲେ ଭାରତ ପ୍ରଭୃତି ତେଲ ଆମଦାନୀକାରୀ ଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । କାରଣ ଭାରତ, ଚୀନ, ଜାପାନ ଓ ଅନ୍ୟାନ୍ୟ ଏସୀୟ ଦେଶକୁ ଇରାନ ଜଳସୀମାରେ ଆସୁଥିବା ଷ୍ଟ୍ରେଟ ଅଫ ହରମୁଜ ଦେଇ ଦେଶ ତୈଳ ଆମଦାନୀ କରନ୍ତି । ଭାରତକୁ ଆସୁଥିବା ମୋଟ ତୈଳର ୫୦ ପ୍ରତିଶତରୁ ଅଧିକ ତେଲ ଏହି ଷ୍ଟ୍ରେଟ ଅଫ ହରମୁଜ ଦେଇ ଆସିଥାଏ ।  ଯୁଦ୍ଧ ଲାଗିଲେ ଭାରତକୁ ଏହି ବାଟ ଦେଇ ତେଲ ଆସିପାରିବ ନାହିଁ । ଯଦି ଏପରି ସ୍ଥିତି ଉପୁଜେ ତେବେ ଭାରତରେ ତୈଳ ସଂକଟ ଦେଖାଯିବ । ଭାରତର ଜରୁରୀକାଳୀନ ତୈଳଭଣ୍ଡାରରେ ଥିବା ତେଲ ମାତ୍ର ୧୦ ଦିନରେ ସମାପ୍ତ ହୋଇଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଭାରତୀୟ ଜରୁରୀକାଳୀନ ତୈଳ ଭଣ୍ଡାରରେ ପ୍ରାୟ ୩୬.୯୨ ନିୟୁତ ବ୍ୟାରେଲ ତେଲ ରହିଛି । କିନ୍ତୁ ଚୀନର ଜରୁରୀକାଳୀନ ତୈଳ ଭଣ୍ଡାରରେ ପ୍ରାୟ ୫୦୦ ନିୟୁତ ବ୍ୟାରେଲ ଓ ଆମେରିକାର ଜରୁରୀକାଳୀନ ତୈଳ ଭଣ୍ଡାରରେ ପ୍ରାୟ ୭୨୭ ନିୟୁତ ବ୍ୟାରେଲ ତେଲ ରହିଛି ।

ସମ୍ବନ୍ଧିତ ଖବର