ବାଙ୍ଗାଲୋରରେ ଡାକ୍ତର-ଲାବରୋଟୋରୀ ଅସାଧୁ ମେଣ୍ଟର ପର୍ଦ୍ଦାଫାଶ

ବାଙ୍ଗାଲୋର- ଅନେକ ସମୟରେ ଡାକ୍ତରମାନେ ରୋଗୀମାନଙ୍କୁ ଅନାବଶ୍ୟକ ଟେଷ୍ଟ କରିବାକୁ କହୁଥିବା ଅଭିଯୋଗ ହୁଏ । ରୋଗୀ ଉକ୍ତ ରୋଗ ପାଇଁ ପୂର୍ବରୁ ଟେଷ୍ଟ କରିଥିଲେ ମଧ୍ୟ ନୂଆ ଡାକ୍ତରଙ୍କ ପାଖକୁ ଗଲେ ସେ ପୁଣି ଥରେ ମୂଳରୁ ଟେଷ୍ଟ କରିବାକୁ କୁହନ୍ତି । ଏହା ଦ୍ୱାରା ରୋଗୀ ପୁଣି ଥରେ ଖର୍ଚ୍ଚାନ୍ତ ହୋଇଥାଏ । ଅବଶ୍ୟ କେତେକ କ୍ଷେତ୍ରରେ ଯେ ଟେଷ୍ଟ କରିବା ଜରୁରୀ ହୋଇ ପଡିଥାଏ, ତାହା ଅସ୍ୱୀକାର କରିହେବ ନାହିଁ ।
କିନ୍ତୁ ଅନାବଶ୍ୟକ ଟେଷ୍ଟ କରାଇବା ଆଜିକାଲି ଏକ ବଡ଼ ସମସ୍ୟା ରୂପେ ଦେଖାଦେଇଛି । କେତେକ ସ୍ଥଳରେ ବଡ଼ ବଡ଼ ର‍୍ୟାକେଟ୍‌ କାମ କରୁଛି ଓ କୋଟି କୋଟି ଟଙ୍କାର କାରବାର ହେଉଛି ।

 

ଏପରି ଏକ ବଡ଼ କଳା କାରନାମାର ପର୍ଦ୍ଦାଫାଶ ହୋଇଛି ବାଙ୍ଗାଲୋରରେ । ଆୟକର ବିଭାଗ ପକ୍ଷରୁ ବାଙ୍ଗାଲୋରର ୫ଟି ପ୍ରମୁଖ ଲାବ୍‌ ଓ ଡାଇଗ୍ନୋଷ୍ଟିକ ସେଣ୍ଟର , ଆଇଭିଏଫ ଉପରେ ଚଢଉ କରିବାବେଳେ ଏହା ଧରା ପଡିଛି । ଏଥିରୁ ଆୟକର ବିଭାଗ ଜାଣିବାକୁ ପାଇଛି ଯେ ଡାକ୍ତର ମାନେ ଟେଷ୍ଟ କରାଇବାକୁ ରୋଗୀମାନଙ୍କୁ ନିଦ୍ଦିଷ୍ଟ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ପଠାନ୍ତି ଓ ସେଥିପାଇଁ ମୋଟା କମିଶନ ପାଆନ୍ତି । ଏଥିପାଇଁ ରେଟ୍‌ ମଧ୍ୟ ଫିକ୍ସ ହୋଇଛି । ସିଟି ସ୍କାନ କରିବା ପାଇଁ ଫିସ୍‌ର ୨୦ ପ୍ରତିଶତ, ଏମଆରଆଇ ପାଇଁ ୩୫ ପ୍ରତିଶତ କମିଶନ ମିଳେ । ୧୫ ଦିନରେ ଥରେଡାଇଗ୍ନୋଷ୍ଟିକ ସେଣ୍ଟରମାନେ ରଖିଥିବା କମିଶନ ଏଜେଣ୍ଟମାନେ ଡାକ୍ତରମାନଙ୍କ ପାଖକୁ ଯାଇ ସେମାନଙ୍କର କମିଶନ ଅର୍ଥ ଓ ତତସମ୍ପର୍କିତ ବିବରଣୀ ଏକ ଲଫାପାରେ ରଖି ଦେଇଆସନ୍ତି ।

 

ଏହି କାରବାରର ଆକାର ଶହ ଶହ କୋଟି ଟଙ୍କା ହେବ ବୋଲି ଅଟକଳ କରିଛି ବିଭାଗ । ଗୋଟିଏ ଲାବ୍‌ କେବଳ ୨୦୦ କୋଟିର କମିଶନ ବାଣ୍ଟିଛି ।

ସମ୍ବନ୍ଧିତ ଖବର