ଚାକିରି ଚାଲିଯିବାରୁ ମଶାଣିରେ ରହୁଥିଲେ, ଏବେ ଦାହ କରୁଛନ୍ତି ଶତାଧିକ ଶବ

ଭଦୋଦରା: କରୋନା ମହାମାରୀ ଅନେକଙ୍କ ଆଖିରୁ ଲୁହ ଝରାଇଦେଇଛି | କିଏ ନିଜ ଆତ୍ମୀୟଙ୍କୁ ହରାଇ ଭାଙ୍ଗିପଡିଛି ତ ପୁଣି କେଉଁଠି ମଶାଣିରେ ଶବ ପୋଡ଼ିବାକୁ ସ୍ଥାନ ନାହିଁ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବାବଦରେ କହିବୁ ଯିଏ କି ଗତବର୍ଷ ଲକଡାଉନ ସମୟରୁ ନିଜ ଜୀବନ ଯାତ୍ରାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଛନ୍ତି | ଲକଡାଉନରେ ଚାକିରି ଚାଲିଯିବା ପରେ ଏହି ବ୍ୟକ୍ତି ଜଣକ ନିରାଶ୍ରୟ ହୋଇ ଏକ ମଶାଣିରେ ଆଶ୍ରୟ ନେଇଥିଲେ, ଆଉ ଏବେ ସେହି ମଶାଣି ହିଁ ତାଙ୍କର ଘର ପାଲଟିଯାଇଛି | ଏଠାକୁ ଆସୁଥିବା ମୃତଦେହର ଅନ୍ତିମ ସଂସ୍କାର କରିବାରେ ଏବେ ଲାଗିପଡିଛନ୍ତି କହେଁୟାଲାଲ ସିରକେ |

ଗୁଜୁରାଟର ଭଦୋଦରାରେ ମଶାଣିରେ ଏବେ ତାଙ୍କୁ ଦେଖିବାକୁ ମିଳୁଛି | କହେଁୟାଲାଲ ସିରକେଙ୍କ ଘର ମହାରାଷ୍ଟ୍ରରେ ହୋଇଥିବାବେଳେ ପ୍ରାୟ ବର୍ଷେ ଧରି ସେ ଭଦୋଦରାର ବାସନା ଗାଁ ରେ ଥିବା ମଶାଣିରେ ରହୁଛନ୍ତି | ଆଉ କରୋନାରେ ମୃତ୍ୟୁ ହୋଇଯାଉଥିବା ବ୍ୟକ୍ତିଙ୍କ ସହ ଅନ୍ୟ ବ୍ୟକ୍ତିମାନଙ୍କର ମୃତଦେହକୁ ସେ ଦାହ କରୁଛନ୍ତି | ବାସ୍ତବରେ କହେଁୟାଲାଲ ସିରକେ ଜଣେ ଚିତ୍ରଶିଳ୍ପୀ ହୋଇଥିବାବେଳେ ଭଦୋଦରାର ଏକ କମ୍ପାନୀରେ କାମ କରୁଥିଲେ |

ତେବେ ଗତବର୍ଷ ଲକଡାଉନ ସମୟରେ ତାଙ୍କର ଚାକିରି ଚାଲିଯାଇଥିବାବେଳେ ଘର ଭଡା ଦେବାକୁ ବି ଅର୍ଥ ନଥିଲା | ତେଣୁ ସେ ଆସି ଏକ ମଶାଣିରେ ଆଶ୍ରୟ ନେଇଥିଲେ | ଆଉ କିଛି ଦିନ ପରେ ତାଙ୍କୁ ମଶାଣିରେ ଶବ ପୋଡ଼ିବାକୁ କୁହାଯାଇଥିଲା, ଆଉ ସେହିଦିନଠାରୁ ସେ ଏହି କାମ କରୁଛନ୍ତି | ଏହାକୁ ନେଇ କହେଁୟାଲାଲ ସିରକେ ବି ବହୁତ ଖୁସି ଅଛନ୍ତି | କୌଣସି କାମ ଛୋଟ ନୁହେଁ, ସବୁ କାମର ମହତ୍ୱ ଅଛି ବୋଲି ସେ କୁହନ୍ତି |

ସମ୍ବନ୍ଧିତ ଖବର