ଲାଲୁଙ୍କୁ ୧୪ ବର୍ଷ ଜେଲ୍‌

ଚତୁର୍ଥ ଗୋଖାଦ୍ୟ ଦୁର୍ନୀତି ମାମଲା

ନୂଆଦିଲ୍ଲୀ: ବିହାରର ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ପୁଣି ଥରେ ଶକ୍ତ ଝଟ୍‌କା ଲାଗିଛି। ପୂର୍ବରୁ ୩ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇଥିବା ଲାଲୁଙ୍କୁ ଆଜି ଚତୁର୍ଥ ମାମଲାର ପୃଥକ୍‌ ପୃଥକ୍‌ ଧାରାରେ ୭ ବର୍ଷ କରି ମୋଟ ୧୪ ବର୍ଷ ଜେଲ୍‌ ଦଣ୍ଡ ମିଳିଛି। ସେହିପରି ଲାଲୁଙ୍କ ଉପରେ ୩୦ ଲକ୍ଷ ଟଙ୍କା ଲେଖାଏଁ ମୋଟ ୬୦ ଲକ୍ଷ ଟଙ୍କାର ଜରିମାନା କରାଯାଇଛି। ଜରିମାନା ଅନାଦାୟ ପୃଥକ୍‌ ଧାରାରେ ଅଧିକ ବର୍ଷେ ଲେଖାଏଁ କାରାବାସ ଭୋଗିବାକୁ ରାଞ୍ଚି ସ୍ଥିତ ସିବିଆଇ ସ୍ୱତନ୍ତ୍ର ଅଦାଲତର ବିଚାରପତି ଶିବପାଲ ସିଂହ ରାୟ ଶୁଣାଇଛନ୍ତି।

ଉଲ୍ଲେଖ ଥାଉ କି, ଲାଲୁ ବିହାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୯୫ ଡିସେମ୍ବରରୁ ୧୯୯୬ ଜାନୁଆରି ମଧ୍ୟରେ ଦୁମ୍‌କା ଟ୍ରେଜେରିରୁ ୩ କୋଟି ୭୬ ଲକ୍ଷ ଟଙ୍କାର ବେଆଇନ ଉଠାଣ ହୋଇଥିବା ଅଭିଯୋଗ ଉଠିଥିଲା। ଗୋଖାଦ୍ୟ ଦୁର୍ନୀତି ସଂକ୍ରାନ୍ତ ଲାଲୁଙ୍କ ବିରୋଧରେ ହୋଇଥିବା ଏହି ଚତୁର୍ଥ ମାମଲାରେ ଲାଲୁଙ୍କୁ ଗତ ୧୯ ତାରିଖରେ ଦୋଷୀ ସାବ୍ୟସ୍ତ ଘୋଷଣା କରାସାରିଥିବା ବେଳେ ଆଜି ଦଣ୍ଡ ଶୁଣାଣି ହୋଇଥିଲା। ଅସୁସ୍ଥତା ହେତୁ ଲାଲୁ ଏବେ ରିମ୍ସ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବାରୁ ଆଜି ସ୍ୱତନ୍ତ୍ର ସିବିଆଇ ବିଚାରପତି ଶିବପାଲ ସିଂହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଣ୍ଡାଦେଶ ଶୁଣାଇଛନ୍ତି। ଦ୍ୱିତୀୟ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ଲାଲୁ ଏବେ ରାଞ୍ଚି ସ୍ଥିତ ବିର୍ସାମୁଣ୍ଡା ଜେଲ୍‌ରେ ସାଢ଼େ ତିନି ବର୍ଷ ଲାଗି କାରାବାସ ଆରମ୍ଭ କରିଥିବା ବେଳେ ତାଙ୍କ ଉପରେ ଏହି ବୋଝ ବଢ଼ି ବଢ଼ି ଚାଲିଛି। ପ୍ରଥମ ମାମଲାର କାରାବାସ ଅବଧିର ମାତ୍ର ୭୭ ଦିନ ପରେ ଜାମିନରେ ଆସି ଏବେ ଦ୍ୱିତୀୟ ମାମଲାର ବନ୍ଦୀଜୀବନ ଭୋଗୁଥିବା ଲାଲୁଙ୍କର ଜେଲ୍‌ରୁ ଫେରି ପୁଣି ରାଜନୈତିକ ଜୀବନ ବିତାଇବା ସ୍ୱପ୍ନ ଧୂଳିସାତ୍‌ ହୋଇଯାଇଛି। ଅନ୍ୟପକ୍ଷରେ, ସିବିଆଇ ଅଦାଲତଙ୍କ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ କହିଛନ୍ତି। ତାଙ୍କ ବାପାଙ୍କ ଜୀବନ ପ୍ରତି ଭୀଷଣ ବିପଦ ଆଶଙ୍କା ରହିଛି। ଏହା ସମ୍ପୂର୍ଣ୍ଣ ଭାବେ ବିଜେପିର ଷଡ଼ଯନ୍ତ୍ର ବୋଲି ତେଜସ୍ୱୀ କହିଛନ୍ତି।

ସୂଚନାଯୋଗ୍ୟ, ବିହାରରେ ୧୯୯୦ରୁ ୧୯୯୫ ମସିହା ମଧ୍ୟରେ ମୋଟ ୯୫୦ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ହୋଇଥିବା କଥା ୧୯୯୬ ମସିହାରେ ଲୋକଲୋଚନକୁ ଆସିଥିଲା। ଚାଇବାସାର ଡେପୁଟି କମିସନର ଅମିତ ଖାରେ ବିହାର ପଶୁପାଳନ ବିଭାଗ ଉପରେ କରିଥିବା ଚଢ଼ଉ ସମୟରେ ଏସବୁ କଳା କାରନାମା ପଦାକୁ ଆସିଥିଲା। ଏହି ଗୋଖାଦ୍ୟ ଦୁର୍ନୀତି ସଂକ୍ରାନ୍ତ ମୋଟ ୫୦ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୬ଟି ମାମଲାରେ ଲାଲୁ ଅଭିଯୁକ୍ତ ରହିଛନ୍ତି। ସେଥି ମଧ୍ୟରୁ ଏଯାବତ୍‌ ୪ଟି ମାମଲାରେ ଲାଲୁଙ୍କୁ ଦଣ୍ଡାଦେଶ ହୋଇସାରିଥିବା ବେଳେ ଆହୁରି ୨ଟି ମାମଲାର ରାୟ ଶୁଣାଣି ପଡ଼ିରହିଛି।

ଲାଲୁଙ୍କ ବିରୋଧରେ ରୁଜୁ ମାମଲା

ପ୍ରଥମ: ଲାଲୁ ବିହାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୯୫-୯୬ ମସିହାରେ ବାଙ୍କା ଏବଂ ଭାଗଲପୁର ଜିଳ୍ଲା ଟ୍ରେଜେରିରୁ ପଶୁପାଳନ ବିଭାଗ ଦ୍ୱାରା ୩୭.୭୦ ଲକ୍ଷ ଟଙ୍କା ବେଆଇନ ଉଠାଣ ହୋଇଥିଲା। ଏହି ମାମଲାରେ ଲାଲୁଙ୍କ ସମେତ ଅନ୍ୟ ୪୫ ଜଣଙ୍କୁ ୨୦୧୩ ଡିସେମ୍ବରରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏଥିରେ ଲାଲୁଙ୍କୁ ୫ ବର୍ଷ କାଳ ଜେଲ୍‌ଦଣ୍ଡ ହୋଇଥିଲା। ସେଥି ଯୋଗୁଁ ଲାଲୁ ନିଜ ସଂସଦ ପଦବି ହରାଇବା ସହ ୬ ବର୍ଷ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ବଞ୍ଚିତ ହୋଇଥିଲେ।

ଦ୍ୱିତୀୟ: ୧୯୯୧ ରୁ ୯୪ ମସିହା ମଧ୍ୟରେ ଦେଓଘର ଟ୍ରେଜେରିରୁ ୮୯.୨୭ ଲକ୍ଷ ଟଙ୍କା ବେଆଇନ ଉଠାଣ ମାମଲାରେ ଲାଲୁଙ୍କୁ ୨୦୧୭ ଡିସେମ୍ବର ୨୩ ରାୟରେ ସାଢ଼େ ତିନିବର୍ଷ ଜେଲ୍‌ଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ହୋଇଥିଲା। ସେଥି ପାଇଁ ସେ ଏବେ ରାଞ୍ଚି ସ୍ଥିତ ବିର୍ସା ମୁଣ୍ଡା କେନ୍ଦ୍ରୀୟ ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି।

ତୃତୀୟ: ଦ୍ୱିତୀୟ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ଠିକ୍‌ ମାସକ ପରେ ଗତ ଜାନୁଆରି ୨୫ ତାରିଖରେ ଲାଲୁ ତୃତୀୟ ଗୋଖାଦ୍ୟ ଦୂର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଚାଇବାସା ଟ୍ରେଜେରିରୁ ୩୩.୧୩ କୋଟି ଟଙ୍କାର ବେଆଇନ ଉଠାଣ ମାମଲାରେ କୋର୍ଟ ତାଙ୍କୁ ୫ ବର୍ଷ ଜେଲ୍‌ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା ଆଦେଶ କରିଛନ୍ତି।

ଚତୁର୍ଥ: ଦୁୁମ୍‌କା ଟ୍ରେଜେରିରୁ ୩.୭୬ କୋଟି ଟଙ୍କାର ବେଆଇନ ଉଠାଣ ମାମଲାରେ ଲାଲୁଙ୍କୁ ଆଜି ପୃଥକ୍‌ ପୃଥକ୍‌ ଦୁଇଟି ଧାରାରେ ୭ ବର୍ଷ କରି ମୋଟ ୧୪ ବର୍ଷ ଜେଲ୍‌ଦଣ୍ଡ ସହ ୩୦ ଲକ୍ଷ କରି ମୋଟ ୬୦ ଲକ୍ଷ ଟଙ୍କା ଜରିମାନା ହୋଇଛି।

ପଞ୍ଚମ: ସେହିପରି ଲାଲୁଙ୍କ ବିରୋଧରେ ରୂଜୁ ହୋଇଥିବା ସବୁୁଠୁ ବଡ଼ ଦୁର୍ନୀତି ସ୍ୱରୂପ ଦୋରଣ୍ଡା ଟ୍ରେଜେରିରୁ ୧୩୯ କୋଟି ଟଙ୍କାର ବେଆଇନ ଉଠାଣ ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଗାମୀ ଦିନରେ ରାୟ ପ୍ରକାଶ କରିବେ।

ସମ୍ବନ୍ଧିତ ଖବର