ଲଗାତାର ୧୦ ଦିନ ଧରି ସଂକ୍ରମଣ ଲ‌କ୍ଷେରୁ କମ୍‌, ୬୭ ହଜାର ନୂଆ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ବୁଧବାର ୬୭,୨୦୮ ଦୈନିକ ନୂଆ ମାମଲା ଚିହ୍ନଟ ହୋଇଛି। ପୂର୍ବ ୨ ଦିନ ଅପେକ୍ଷା ଗତକାଲିର ସଂକ୍ରମଣ ସାମାନ୍ୟ ଅଧିକ ରହିଛି। ଜୁନ୍‌ ୧୫ରେ ସଂକ୍ରମଣ ମାମଲା ୬୦,୪୭୧ ଥିବାବେଳେ ୧୬ ତାରିଖରେ ସଂକ୍ରମଣ ମାମଲା ୬୨,୨୨୪ ଥିଲା। ଆଜି ସଂକ୍ରମଣ ମାମଲା ସାମାନ୍ୟ ଅଧିକ ରହିଛି। ତେବେ ଲଗାତାର ୧୦ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ମାମଲା ୧ ଲକ୍ଷରୁ କମ୍‌ ରହିଛି। ଦୈନିକ ମୃତ୍ୟୁସଂଖ୍ୟା କମୁଥିଲେ ମଧ୍ୟ ଲଗାତାର ୪ ଦିନ ଧରି ଦେଶରେ କରୋନା ମୃତ୍ୟୁ ୨ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୩୩୦ କରୋନା ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୩,୮୧,୯୦୩ ପହଞ୍ଚିଛି। ଅନ୍ୟପକ୍ଷେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨,୯୭,୦୦,୩୧୩ରୋ ପହଞ୍ଚିଛି। ଲଗାତାର ୩୫ ଦିନ ଧରି ଦେଶରେ ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ମାମଲାକୁ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୦୩,୫୭୦ ‌ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ସକ୍ରିୟ ମାମଲା ୮,୨୬,୭୪୦ ରହିଛି। ଏହା ୭୧ ଦିନରେ ସବୁଠୁ କମ୍‌। ସାପ୍ତାହିକ ପଜିଟିଭ୍‌ ହାର ୩.୯୯ ପ୍ରତିଶତ ଥିବାବେଳେ ଦେଶରେ ଦୈନିକ ପଜିଟିଭ୍‌ ହାର ୩.୪୮ ପ୍ରତିଶତ ରହିଛି।

ଦ୍ବିତୀୟ ଲହର ସଂକ୍ରମଣ କମୁଥିଲେ ସୁଦ୍ଧା ୫ଟି ରାଜ୍ୟରେ ଗତ ୧୪ ଦିନରେ ତଥା ଜୁନ୍‌ ୧-୧୪ ମଧ୍ୟରେ ସଂକ୍ରମଣ ମାମଲା ୧ ଲକ୍ଷରୁ ଅଧିକ ରହିଛି। ଗତ ୧୪ ଦିନ ମଧ୍ୟରେ ତାମିଲନାଡ଼ୁରେ ସର୍ବାଧିକ ୨.୪୩ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧.୮୬ ଲକ୍ଷ, କର୍ଣ୍ଣାଟକରେ ୧.୫୩ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର