ମହାରାଷ୍ଟ୍ରରେ ସରକାର ଗଠନ କରିବନି ବିଜେପି, ଶିବସେନାକୁ ଦେଲା ଦୋଷ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ନକରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଜନତା ପାର୍ଟି। ଦେବେନ୍ଦ୍ର ଫଡ୍‌ନାଭିସଙ୍କ ସମେତ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ମିଶି ଆଜି ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରିଙ୍କୁ ଭେଟିଛନ୍ତି। ରାଜ୍ୟରେ ନିର୍ବାଚନ ଫଳାଫଳ ବାହାରିବାର ବହୁ ଦିନ ପର୍ଯ୍ୟନ୍ତ ବିଜେପି ଓ ଶିବସେନା ମଧ୍ୟରେ ଚାଲିଥିବା ଠେଲାପେଲା ହେତୁ ସରକାର ଗଠନ ହୋଇନପାରିବା କାରଣରୁ ଗତକାଲି ସଂଖ୍ୟା ଗରିଷ୍ଠ ଦଳ ବିଜେପିକୁ ସରକାର ଗଠନ କରିବାକୁ ନିମନ୍ତ୍ରଣ ଦେଇଥିଲେ ରାଜ୍ୟପାଳ। ମାତ୍ର ଶିବସେନା ସମର୍ଥନ ଦେଉନଥିବା କାରଣରୁ ଆଜି ଦୁଇ ଥର ବୈଠକ କରି ଆଲୋଚନା କରିବା ପରେ ବିଜେପି ସରକାର ଗଠନ କରିବାକୁ ସ୍ପଷ୍ଟ ମନା କରି ଦେଇଛି।

ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‌ ତାଙ୍କ ସରକାର ଗଠନ ନ କରିବାର ଦୋଷ ଶିବସେନା ଉପରେ ଲଦି କହିଛନ୍ତି ଯେ ‘ଭାଜପା-ଶିବସେନା ଏକା ସହ କାମ କରିବାକୁ ଜନାଦେଶ ଦିଆଯାଇଥିଲା। ଯଦି ଶିବସେନା ଏହାର ଅନାଦାର କରିବାକୁ ଚାହୁଁଛି ତେବେ ଆମେ ପଛକୁ ଘୁଞ୍ଚୁଛୁ। ସେ ଯଦି କଂଗ୍ରେସ ଓ ଏନ୍‌ସିପି ସହ ମିଶି ସରକାର ଗଠନ କରିବାକୁ ଇଚ୍ଛୁକ ତେବେ ଆମ ଶୁଭକାମନା ରହିଛି।’

ଉଲ୍ଲେଖଯୋଗ୍ୟ, ନିର୍ବାଚନ ପୂର୍ବରୁ ମେଣ୍ଟ ଗଠନ କରିଥିବା ବିଜେପି ଓ ଶିବସେନା ଭିତରେ ନିର୍ବାଚନ ଫଳାଫଳ ବାହାରିବା ପରେ ଫାଟ ଦେଖିବାକୁ ମିଳିଥିଲା। ଅନ୍ୟ ସମସ୍ତ ଦଳଠାରୁ ନିର୍ବାଚନରେ ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠ ହୋଇ ୧୦୫ ଆସନରେ ବିଜୟ ଲାଭ କରିଥିବା ବେଳେ ସହଯୋଗୀ ଶିବସେନା ୫୬ ଆସନ ବିଜୟ ଲାଭ କରିଥିଲା। ହେଲେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ନିଜ ସାମର୍ଥ୍ୟରେ ଶିବସେନାକୁ ବାଦ୍‌ ଦେଇ ରାଜ୍ୟରେ ନୂତନ ସରକାର ଗଠନରେ ଅସମର୍ଥ ଥିଲା ବିଜେପି। ଏହି ପରିସ୍ଥିତିରେ ରାଜ୍ୟରେ ୫୦-୫୦ ଫମୁର୍ଲାରେ(ଅଢ଼େଇ ବର୍ଷ ବିଜେପି-ଅଢ଼େଇ ବର୍ଷ ଶି‌ବସେନା ଶାସନ) ସରକାର ଗଠନ ପ୍ରସ୍ତାବ ଦେଇଥିଲା ଶିବସେନା। ମାତ୍ର ଶିବସେନାର ଏହି ସର୍ତ୍ତକୁ ବିଜେପି ପ୍ରତ୍ୟାଖାନ କରି ୫୦-୫୦ ଫମୁର୍ଲାରେ ନୁହେଁ, ବରଂ ବିଜେପି ଫମୁର୍ଲାରେ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ ଅଡ଼ି ବସିଥିଲା ଦଳ। ଯେଉଁଥିପାଇଁ ନିର୍ବାଚନ ଫଳ ଘୋଷିତ ହେବାର ଦୀର୍ଘ ୧୫ ଅତିବାହିତ ହୋଇଯାଇଥିଲେ ମଧ୍ୟ ରାଜ୍ୟରେ ନୂତନ ସରକାର ଗଠିତ ହୋଇପାରି ନଥିଲା ଏବଂ ରାଜ୍ୟପାଳଙ୍କୁ ପୂରୁଣା ବିଧାନସଭାର କାର୍ଯ୍ୟକାଳକୁ ଆଉ ଏକ ମାସ ପାଇଁ ବୃଦ୍ଧି କରିବାକୁ ବାଧ୍ୟ ହେବାକୁ ପଡ଼ିଥିଲା।

ଶିବସେନାର ୫୦-୫୦ ଫମୁର୍ଲାକୁ ବି‌ଜେପି ପ୍ରତ୍ୟାଖାନ କରିଥିବା ବେଳେ  ବିଜେପି ବିରୋଧରେ ଅଭିଯୋଗ ଆଣିଛି ଶିବସେନା। ବିଜେପି ନିର୍ବାଚନ ପୂର୍ବରୁ ମେଣ୍ଟ ଗଠନ ବେଳେ ୫୦-୫୦ ଫମୁର୍ଲାକୁ ସବୁଜ ସଂକେତ ଦେଇ ଏବେ ପ୍ରତ୍ୟାଖାନ କରୁଛି ବୋଲି ଶିବସେନା ପକ୍ଷରୁ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ତାହାର ପ୍ରମାଣ ଶିବସେନା ନିକଟରେ ଅଛି ବୋଲି ଦଳ ପକ୍ଷରୁ ପ୍ରକାଶ ପାଇବା ପରେ ବିଜେପିର ବରିଷ୍ଠ ନେତାମାନଙ୍କୁ ଦଳ ଏକ ଭିଡିଓ ପଠାଇଛି। ସେହି ଭିଡିଓରେ ବିଜେପିର ବରିଷ୍ଠ ନେତା ଅମିତ ଶାହା ଥିବା ସୂଚନା ରହିଛି।

 

ସମ୍ବନ୍ଧିତ ଖବର