ରାଉରକେଲା ଦେଇ ଯାଉଥିବା ମୁମ୍ବାଇ-ହାଓଡା ଦୂରନ୍ତ ଏକ୍ସପ୍ରେସ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ

ଦୂରନ୍ତ ନେଇଗଲା ଜେଜେ ମାଙ୍କ ସହ ନାତି, ନାତୁଣୀ ଓ ନାତୁଣୀ ବୋହୂର ଜୀବନ

ଚକ୍ରଧରପୁର: ଓଡ଼ିଶାର ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମର ଚକ୍ରଧରପୁର ରେଳ ଷ୍ଟେସନ ନିକଟରେ ଆଜି ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମୁମ୍ବାଇ-ହାଓଡା ଦୂରନ୍ତ ଏକ୍ସପ୍ରେସ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି | ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି | ସୂଚନା ମୁତାବକ ବିଞ୍ଜୟ ନଦୀ କଲଭର୍ଟ ଦେଇ ଚାଲି ଚାଲି ଯାଉଥିବାବେଳେ ହଠାତ ଟ୍ରେନଟି ମାଡିଆସିଥିଲା | ଆଉ ଏହି ୪ ଜଣ କଲଭର୍ଟରୁ ତଳକୁ ଓହ୍ଲାଇପାରିନଥିଲେ |

ସୂଚନା ପାଇବା ମାତ୍ରେ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ପର୍ସ ଏବଂ ମୋବାଇଲ୍ ମିଳିଥିବାବେଳେ ଘଟଣାସ୍ଥଳରୁ ମିଳିଥିବା ଆଧାର କାର୍ଡ ଅନୁଯାୟୀ ମୃତକଙ୍କ ବାବଦରେ ତଥ୍ୟ ମିଳିପାରିଛି | ଆଜି ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ହେଲେ ସରାଇକେଲା-ଖରସୁଆଁ ଜିଲ୍ଲାର ତେଲେଙ୍ଗଜୁଡି ଗାଁର ସୁମି ପୂର୍ତ୍ତି (୭୧), ସୁମିଙ୍କ ନାତି ଅମର ସିଂ ପୂର୍ତ୍ତି (୨୧), ଅମର ସିଂଙ୍କ ପତ୍ନୀ ବା ପୂର୍ତ୍ତି (୧୯) ଏବଂ ଭଉଣୀ ଜେମା ପୂର୍ତ୍ତି (୧୮) |

ଏମାନେ ସମସ୍ତେ ଗୋଟିଏ ପରିବାରର ଥିବାବେଳେ ଚକ୍ରଧରପୁରରେ ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ | ଆଉ ଫେରିବାବେଳେ କଲଭର୍ଟ ଦେଇ ଚାଲି ଚାଲି ଯାଉଥିଲେ | ୪ ଜଣଙ୍କ ମୃତ୍ୟୁ ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |

ସମ୍ବନ୍ଧିତ ଖବର