ଭାରତର ଚିନ୍ତା ସତ୍ତ୍ୱେ ଜରୁରୀପରିସ୍ଥିତି ମିଆଦକୁ ବଢାଇବ ମାଳଦ୍ୱୀପ

ନୂଆଦିଲ୍ଲୀ: ଭାରତ ମହାସାଗରରେ ଥିବା ଦ୍ୱୀପରାଷ୍ଟ୍ର ମାଳଦ୍ୱୀପରେ ଲାଗିଥିବା ଜରୁରୀପରିସ୍ଥିତିର ମିଆଦ ଆଜି ସମାପ୍ତ ହେବାର ଥିଲା । କିନ୍ତୁ ଭାରତ ସରକାରଙ୍କ ଚିନ୍ତା ସତ୍ତ୍ୱେ ସେଠାକାର ୟମିନ ସରକାର ଏହି ମିଆଦକୁ ବଢାଇବା ପାଇଁ ଯୋଜନା କରୁଛନ୍ତି । ରାଷ୍ଟ୍ରପତି ଆବଦୁଲ୍ଲା ୟମିନ ଏହି ୧୫ ଦିନିଆ ଜରୁରିପରିସ୍ଥିତିର ମିଆଦକୁ ୩୦ ଦିନକୁ ବଢାଇବା ଲାଗି ପ୍ରସ୍ତାବ ଦେଇଥିବାବେଳେ ତାହାକୁ ତାଙ୍କର ପାର୍ଲାମେଣ୍ଟାରୀ କମିଟି ମଂଜୁର କରିଛି ।

ଅନ୍ୟପକ୍ଷରେ ମାଳଦ୍ୱୀପ ସରକାର ଆଉ ଜରୁରୀ ପରିସ୍ଥିତିକୁ ନ ବଢାଇ ସ୍ୱାଭାବିକତା ଫେରାଇ ଆଣିବେ ବୋଲି ଭାରତ ଆଶା ପ୍ରକଟ କରିଛି । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ମାଳଦ୍ୱୀପରେ ଖୁବ ଶୀଘ୍ର ସ୍ୱାଭାବିକତା ଅଣାଯିବା ସହ ରାଜନୈତିକ ପ୍ରକ୍ରିୟା ଆରମ୍ଭ ହେବା ଜରୁରୀ । ମାଳଦ୍ୱୀପ ଖୁବଶୀଘ୍ର ଗଣତାନ୍ତ୍ରିକ ଓ ଆଇନର ଶାସନ ଆରମ୍ଭ ହେବା ଆବଶ୍ୟକ ଯେପରିକି ମାଳଦ୍ୱୀପ ଜନତାଙ୍କ ଆଶା ପୂରଣ ହେବ ଓ ବିଶ୍ୱ ସମୁଦାୟର ଚିନ୍ତା ଦୂର ହେବ । ଗତ ୫ ତାରିଖରେ ମାଳଦୀପର ସୁପ୍ରିମକୋର୍ଟ ଜେଲରେ ଥିବା ୯ଜଣ ରାଜନୈତିକ ନେତାଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଷ୍ଟ୍ରପତି ୟମିନ ଏହାକୁ ମାନିବାକୁ ମନା କରି ଜରୁରୀପରିସ୍ଥିତି ଲଗାଇଥିଲେ । ଏହା ସହିତ ବିରୋଧୀ ଦଳ ନେତା ଓ ବିଚାରପତିମାନଙ୍କୁ ଜେଲରେ ପୁରାଇଥିଲେ । ଏହି ୯ ଜଣଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଗୟୁମ ଓ ଦୁଇ ଜଣ ବିଚାରପତି ।

ସମ୍ବନ୍ଧିତ ଖବର