ବିଜେପୁରରେ ନବୀନଙ୍କ ନିର୍ବାଚନ ପ୍ରଚାର ଆରମ୍ଭ ,ବିଜେପି ପକ୍ଷରୁ ମଇଦାନକୁ ଓହ୍ଲାଇଲେ ସ୍ମୃତି ଇରାନୀ

ବରଗଡ଼: ବିଜେପୁର ଉପ-ନିର୍ବାଚନ ବର୍ତ୍ତମାନ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ପାଇଁ ରାଜନୈତିକ ପତିଆରା ଓ ସମ୍ମାନର ପ୍ରଶ୍ନ ପାଲଟି ଯାଇଛି । ମୁଖ୍ୟତଃ ରାଜ୍ୟରେ ଶାସନ ଡ଼ୋରି ଧରିଥିବା ବିଜୁ ଜନତା ଦଳ ଏବଂ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ବିଜେପୁରରେ ‘କର ବା ମର’ ସ୍ଥିତିକୁ ଓହ୍ଲାଇ ଆସିଛନ୍ତି। ପ୍ରଚାର ଶେଷ ହେବାକୁ ଆଉ ଦୁଇ ଦିନ ଥିବା ବେଳେ ଉଭୟ ଦଳର ହେଭିେଓ୍ଵଟ୍‌ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଜେପୁର ନିର୍ବାଚନ ମଣ୍ଡଳୀରେ ଏକ ଦୁଇଦିନିଆ ଗସ୍ତରେ ପହଞ୍ଚଛନ୍ତି। ଅନ୍ୟ ପକ୍ଷରେ ବିଜେପିର ପୋଷ୍ଟରବୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠାରେଡ଼େରା ପକାଇଛନ୍ତି। ମଙ୍ଗଳବାର ବିଜେପି ପକ୍ଷରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ଲୋକପ୍ରିୟ ଟେଲି ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ ଗାଇସିଲଟ୍‌ରେ ନିର୍ବାଚନୀ ସଭା କରିଥିବାବେଳେ ନିର୍ବାଚନ ବରପାଲିରୁ ଆରମ୍ଭ କରିଛନ୍ତି ପ୍ରଚାର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପ୍ରଥମ ନିର୍ବାଚନୀ ସଭାରେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଥିଲେ ଯେ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗା ଉପରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସ୍‌ଟି ଲଗାଇଥିଲେ। ରାଜ୍ୟ ସରକାରଙ୍କ ଦାବି ଫଳରେ ଏହା ୫%କୁ ହ୍ରାସ କରାଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ବିଧବା ପତ୍ନୀ ରୀତା ସାହୁଙ୍କୁ ‘ଭଉଣୀ’ ସମ୍ବୋଧନ କରିବା ସହ ତାଙ୍କ ସ୍ୱାମୀ ସୁବଳ ସାହୁ ବିଜେପୁରର ବିକାଶ ନେଇ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ଲାଗି ସେ ସମର୍ଥନ ଦେଇଛନ୍ତି ବୋଲି କହିଥିଲେ ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜର ନିର୍ବାଚନୀ ଭାଷାରେ ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ସେ ଏକଛତ୍ରବାଦ ଚଳାଇଛନ୍ତି ଓ ତାଙ୍କର ୧୮ ବର୍ଷର କୁଶାସନ ଓ କୁନୀତିକୁ ହଟାଇବାକୁ ବିଜେପିକୁ ଭୋଟ ଦିଅନ୍ତୁ ବୋଲି ଆହ୍ଵାନ କରିଥିଲେ। ୧୮ ବର୍ଷର ଏକ ସରକାର ଲୋକଙ୍କୁ ପିଇବା ପାଇଁ ପାଣି ଓ ଘର ଆଲୋକିତ କରିବା ପାଇଁ ବିଜୁଳୀ ଯୋଗାଇବାରେ ଅକ୍ଷମ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ମଙ୍ଗଳବାର ବରଗଡ଼ରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସେ ବରପାଲିରୁ ଗମ୍ଭାରୀ ପର୍ଯ୍ୟନ୍ତ ୬ କିଲୋମିଟର ଦୂରତା ରୋଡ଼୍‍ ସୋ’ ମଧ୍ୟ କରିଛନ୍ତି। ଦୀର୍ଘ ୨୦ ବର୍ଷର ରାଜନୈତିକ କ୍ୟାରିଅରରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଲାଗି ନିର୍ବାଚନ ପ୍ରଚାରରେ ଆସି ଭୁବନେଶ୍ୱର ବାହାରେ ରାତ୍ରିଯାପନ କରୁଛନ୍ତି। ଏହା ସ୍ପଷ୍ଟ ସୂଚିତ କରୁଛି ଯେ, ବିଜେପୁର ଉପ-ନିର୍ବାଚନକୁ ବିଜେଡ଼ି ସୁପ୍ରିମୋ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର