ମନ୍‌ କୀ ବାତ୍‌, ବିକାଶ ପଥରେ ଘୃଣାର ପ୍ରାଚୀର ସଫଳ ହେବନାହିଁ

ନୂଆଦିଲ୍ଲୀ: କଶ୍ମୀରରେ ଯେଉଁମାନେ ଘୃଣାର ପ୍ରସାର କରୁଛନ୍ତି ଏବଂ ବିକାଶର ଗତିରୋଧ କରିବାକୁ ପ୍ରଚେଷ୍ଟା କରୁଛନ୍ତି ସେମାନେ କଦାପି ସଫଳ ହେବେନାହିଁ। ବିକାଶର ଶକ୍ତି ଗୁଳି ଏବଂ ବୋମାର ଶକ୍ତିଠାରୁ ଅଧିକ ସୁଦୃଢ଼ ବୋଲି ଉକ୍ତି କଶ୍ମୀରରେ ପ୍ରମାଣିତ ହୋଇଛି। ନିକଟରେ କଶ୍ମୀରରେ ହୋଇଥିବା ଏକ ସରକାରୀ କାର୍ଯ୍ୟକ୍ରମର ସଫଳତାକୁ ବର୍ଣ୍ଣନା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାଙ୍କ ମନ୍‌ କୀ ବାତ୍ ବାର୍ତ୍ତାରେ ଦେଶବାସୀଙ୍କୁ ଏହା କହିଛନ୍ତି। ମୋଦୀ ତାଙ୍କର ଦ୍ବିତୀୟ ପାଳିର ଦ୍ବିତୀୟ ମନ୍‌ କୀ ବାତ୍‌ରେ କହିଛନ୍ତି, ଗତ ଜୁନ୍‌ରେ ଜମ୍ମୁ କଶ୍ମୀରରେ ‘ଗାଁକୁ ଫେରିଚାଲ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ସ୍ଥାନରେ ଏହି କାର୍ଯ୍ୟକ୍ରମ ପ୍ରତି ଲୋକଙ୍କର ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ସରକାରୀ ଅଧିକାରୀମାନେ ସେଠାରେ ପହଞ୍ଚି ‌ସ୍ଥାନୀୟ ଲୋକଙ୍କ ସହିତ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି। କଶ୍ମୀରବାସୀ ବିକାଶର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ କେତେ ବ୍ୟଗ୍ର ତାହା ଏହି କାର୍ଯ୍ୟକ୍ରମରୁ ଜଣାପଡ଼ିଛି। ଲୋକମାନେ ଏହି କାର୍ଯ୍ୟକ୍ରମରେ ଯେଉଁଭଳି ଭାବେ ଅଂଶଗ୍ରହଣ କରିଛନ୍ତି ତାହା ସୂଚୀତ କରୁଛି କଶ୍ମୀରବାସୀ କେତେମାତ୍ରାରେ ଉତ୍ତମ ପ୍ରଶାସନ ଚାହୁଛନ୍ତି। ବିକାଶର ଶକ୍ତି ଗୁଳି ଏବଂ ବୋମାଠାରୁ ମଧ୍ୟ ଶକ୍ତିଶାଳୀ ବୋଲି ଯାହା କୁହାଯାଇଛି ସେହି ଉକ୍ତିର ପ୍ରମାଣ ଏଥିରୁ ମିଳୁଛି ବୋଲି ମୋଦୀ କହିଛନ୍ତି। ବିକାଶର ପଥରେ ଯେଉଁମାନେ ଘୃଣାର ପ୍ରାଚୀର ଠିଆ କରନ୍ତି ସେମାନେ ମଧ୍ୟ ସେମାନଙ୍କ ମନ୍ଦ ଯୋଜନାରେ କେବେ ବି ସଫଳ ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କଶ୍ମୀର କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ସୀମା ଆରପଟୁ ଗୁଳିଗୋଳା ବର୍ଷଣ ହେଉଥିବା ଗ୍ରାମଗୁଡ଼ିକରେ ବାସ କରୁଥିବା ଲୋକଙ୍କ ପାଖରେ ଅଧିକାରୀମାନେ ପହଞ୍ଚିଛନ୍ତି। ସୋପିଆନ, ପୁଲୱାମା, କୁଲଗାମ, ଅନନ୍ତନାଗ ଭଳି ଜିଲ୍ଲାର ସମ୍ବେଦନଶୀଳ ଗ୍ରାମରେ ଅଧିକାରୀମାନେ ନିର୍ଭୟରେ ପହଞ୍ଚିଛନ୍ତି।

ମୋଦୀ ତାଙ୍କ ମନ୍‌ କୀ ବାତ୍‌ରେ ଦେଶବାସୀଙ୍କୁ ଏହା ମଧ୍ୟ କହିଛନ୍ତି, ଚଳିତବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାରେ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଯାତ୍ରୀ ସେମାନଙ୍କ ଯାତ୍ରା ସମ୍ପୂର୍ଣ୍ଣ କରିସାରିଲେଣି। ୨୦୧୫ରେ ଅମରନାଥ ଯାତ୍ରାର ୬୦ ଦିନ ଅବଧିରେ ଯାତ୍ରା କରିଥିବା ସମୁଦାୟ ଯାତ୍ରୀଙ୍କ ତୁଳନାରେ ଏହି ସଂଖ୍ୟା ଅଧିକ ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କଶ୍ମୀରବାସୀଙ୍କ ଆତିଥେୟତାର ପ୍ରଶଂସା କରିଛନ୍ତି। କଶ୍ମୀରବାସୀଙ୍କ ଆତିଥୟେତା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଉତ୍ତରାଖଣ୍ଡରେ ୨୦୧୩ରେ ସଂଘଟିତ ପ୍ରଳୟଙ୍କାରୀ ବନ୍ୟା ପରେ କେଦାରନାଥକୁ ରେକର୍ଡ ୮ ଲକ୍ଷରୁ ଅଧିକ ଯାତ୍ରୀ ଯାଇଛନ୍ତି। ମୋଦୀ ତାଙ୍କର ୨୫ ମିନିଟର ମନ୍‌ କୀ ବାତ୍‌ରେ ଆସନ୍ତା ଅଗଷ୍ଟ ୧୫କୁ ସ୍ବତନ୍ତ୍ର ପ୍ରସ୍ତୁତିର ସହିତ ପାଳନ କରିବାକୁ ଲୋକଙ୍କୁ କହିଛନ୍ତି। ଦେଶର ବିଭିନ୍ନ ଭାଗରେ ଦେଖାଦେଇଥିବା ବନ୍ୟା ସମ୍ପର୍କରେ ମୋଦୀ କହିଛନ୍ତି, ଲୋକଙ୍କ ଦୁଃଖକୁ ଲାଘବ କରିବା ଏବଂ ସେମାନଙ୍କୁ ରିଲିଫ ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ସହ ମିଶି କେନ୍ଦ୍ର ସରକାର ବିଦ୍ୟୁତ ବେଗରେ କାର୍ଯ୍ୟ କରୁଛି। ଜଳ ସଂରକ୍ଷଣ ପ୍ରସଙ୍ଗ ଦେଶକୁ ଆନ୍ଦୋଳିତ କରିଛି। ମେଘାଳୟ ସରକାର ସ୍ବତନ୍ତ୍ର ଜଳ ନୀତି ପ୍ରସ୍ତୁତ କରିଥିବାରୁ ଏବଂ ହରିୟାଣା ସରକାର କମ୍ ଜଳରେ ଫସଲ ଚାଷ ପାଇଁ କୃଷକମାନଙ୍କୁ ଉତ୍ସାହିତ କରୁଥିବାରୁ ମୋଦୀ ଏହି ରାଜ୍ୟ ସରକାରମାନଙ୍କର ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର