ଅମ୍ବାନୀଙ୍କୁ ୪୦୦କୋଟି ଟଙ୍କା ଦାବି କରି ଧମକପୂର୍ଣ୍ଣ ମେଲ ପଠାଇବା ବାଳକଙ୍କୁ ମହଙ୍ଗା ପଡ଼ିଲା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଧମକ ଦେବା ଘଟଣାରେ ପୁଲିସ ଜଣେ ବାଳକଙ୍କୁ ଗିରଫ କରିଛି। ମୁମ୍ବାଇ ପୁଲିସ ତେଲେଙ୍ଗାନାରୁ ଗିରଫ କରିଥିବା ବାଳକର ବୟସ ୧୯ବର୍ଷ ଓ ନାମ  ଗଣେଶ ରମେଶ ବନପାରଧି ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ଗଣେଶ ରମେଶ ବନପାରଧି ସାଦାବ ଖାନ ନାମରେ ମେଲ ପଠାଇଥିଲା। ପ୍ରଥମେ ଇମେଲ ପଠାଇ ୨୦କୋଟି ଟଙ୍କା ଦାବି କରିଥିଲା। ଏହାପରେ ପୁଣି ମୁକେଶ ଅମ୍ବାନୀଙ୍କୁ ୪୦୦‌କୋଟି ଟଙ୍କା ଦାବି କରିଥିଲା। ଏମିତି ସେ ଅମ୍ବାନୀଙ୍କ ପାଖକୁ ୬ଟି ମେଲ ପଠାଇ ଧମକ ଦେଇ ଚାଲିଥିଲା।

ମୁମ୍ବାଇ ପୁଲିସ ସୂତ୍ରରୁ ପ୍ରକାଶ, ଅକ୍ଟୋବର ୨୭ରେ ସାଦାବ ଖାନ୍ ନାମକ ଜଣେ ବାଳକଠାରୁ ଏପରି ଧମକ ମିଳିବା ପରେ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆର ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏପରି ଧମକ ନେଇ ଅଭିଯୋଗ ହୋଇଥିଲା। ଏହାପରେ ଘଟଣାକୁ ଗମ୍ଭୀରତା ସହ ନେଇ ଯାଞ୍ଚ ଆରମ୍ଭ କରାଯାଇଥିଲା ପୁଲିସ୍।

ଯାଞ୍ଚ ସମୟରେ ତେଲେଙ୍ଗାନାରୁ ୧୯ବର୍ଷୀୟ ଗଣେଶ ରମେଶ ବନପାରଧିକୁ ଗିରଫ କରାଯାଇଛି। ତାକୁ ବିଭିନ୍ନ ଦିଗକୁ ପଚରାଉଚରା କରାଯିବା ସହିତ ଏହି ଘଟଣାରେ ତା’ସହିତ ଆଉ କେଉଁମାନେ ସାମିଲ ଅଛନ୍ତି ତାହାର ବି ତଦନ୍ତ ଚାଲିଛି। ମୁମ୍ବାଇର ଗାମଦେବୀ ପୁଲିସ ଷ୍ଟେସନରେ ଆଇପିସି ଧାରା ୩୮୭ ଓ ୫୦୬(୨) ଜରିଆରେ  ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି।

ଗତ ବର୍ଷ ମଧ୍ୟ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଏଭଳି ହତ୍ୟା ଧମକ ମିଳିଥିଲା । ଏହି ଅଭିଯୋଗରେ ମୁମ୍ବାଇ ପୁଲିସ ବିହାରର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଦକ୍ଷିଣ ମୁମ୍ବାଇରେ ଥିବା ଅମ୍ବାନୀ ପରିବାରର ଅଟ୍ଟାଳିକା ଆଣ୍ଟିଲିଆ ସହିତ ଏଚଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ଉଡାଇ ଦେବାକୁ ଧମକ ଦେଇଥିଲା ।

ସମ୍ବନ୍ଧିତ ଖବର