ବିଳମ୍ବିତ ରାତିରେ ୟୁସୁଫପୁରରେ ପହଞ୍ଚିବ ମୁଖତାର ଅନସାରୀର ମୃତଦେହ, ସମଗ୍ର ଉତ୍ତରପ୍ରଦେଶରେ କଡା ସୁରକ୍ଷା ବ୍ୟବସ୍ଥା

ପ୍ରୟାଗରାଜ: କୁଖ୍ୟାତ ମାଫିଆ ମୁଖତାର ଅନସାରୀର ମୃତଦେହକୁ କଡାସୁରକ୍ଷା ମଧ୍ୟରେ ତାହାର ପୈତୃକ ଗ୍ରାମ ମହମ୍ମଦାବାଦର ୟୁସୁଫପୁର ଅଣାଯାଉଛି । ସଂଧ୍ୟା ୭ଟା ସୁଦ୍ଧା ଏହା  ପ୍ରୟାଗରାଜ ସୀମାରେ ପହଞ୍ଚିଛି।  ପ୍ରୟାଗରାଜ ସୀମାରେ ଥିବା ହାଣ୍ଡିଆ ବାଇପାସ୍ ରୁ ମୁକ୍ତାର ଅନସାରୀଙ୍କ ମରଶରୀର ବାରଣାସୀର ଭଦୋହି ଦେଇ ଗାଜିପୁରରେ ପହଞ୍ଚିବ। ବିଳମ୍ବିତ ରାତିରେ ଅନସାରୀର ମୃତଦେହ ତାହାର ପୈତୃକ ଘରେ ପହଞ୍ଚିବାର ସମ୍ଭାବନା ରହିଛି । ଆସନ୍ତା କାଲି ଅର୍ଥାତ୍ ଶନିବାର ସକାଳ ୧୦ଟା ସମୟରେ ତାକୁ କବର ଦିଆଯିବ। ସେପଟେ ମହମ୍ମଦାବାଦ ୟୁସୁଫପୁରରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଲୋକମାନେ ମୁଖତାରର ମୃତଦେହକୁ ଅପେକ୍ଷା କରିଛନ୍ତି।

ମୁଖତାରର ପୈତୃକ ଗ୍ରାମରେ ଥିବା କାଳୀବାଗର ପାରିବାରିକ କବରସ୍ଥାନରେ ତାକୁ କବର ଦିଆଯିବ । ସେପଟେ ଗାଜିପୁର ଏବଂ ମଉ ସମେତ ଆଖପାଖ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କାଳୀବାଗ  କବରସ୍ଥାନରେ ମୁଖତାରର ପିତାମାତାଙ୍କ କବର ରହିଛି। ବିଳମ୍ବିତ ରାତି ସୁଦ୍ଧା ମୁଖତାରଙ୍କ ମୃତଦେହ ଅଣାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି। ଅନସାରୀ ପରିବାରର ବାସଭବନରୁ କବରସ୍ଥାନ ପର୍ଯ୍ୟନ୍ତ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବା ସହ ବ୍ୟାରିକେଡ୍ ଲଗାଯାଇଛି।

ସୂଚନାଯୋଗ୍ୟ ଯେ ଗୁରୁବାର ରାତିରେ ବାନ୍ଦା ଜେଲରେ ଥିବାବେଳେ ମୁଖତାରର ହୃଦଘାତ ହୋଇଥିଲା । ଏହା ପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର