ଗାଜିଆବାଦରେ ବୟସ୍କ ବ୍ୟକ୍ତିଙ୍କୁ ଆକ୍ରମଣ ଖବର ପ୍ରସାର ଘଟଣା, ଟ୍ବିଟର ସମେତ ସାମ୍ବାଦିକଙ୍କ ବିରୋଧରେ ଏତଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବୟସ୍କ ମୁସଲମାନ ବ୍ୟକ୍ତିଙ୍କ ଦାଢ଼ି କାଟିଦେବା, ତାଙ୍କୁ ପିଟିବା ଏବଂ ବନ୍ଦେ ମାତରମ ଓ ଜୟ ଶ୍ରୀ ରାମ କହିବାକୁ ବାଧ୍ୟ କରାଯାଉଥିବାର ଏକ ଭିଡିଓ ପ୍ରସାରିତ ହେବା ପରେ ଉତ୍ତର ପ୍ରଦେଶ ପୁଲିସ ଆକ୍ସନ ମୁଡ୍‌କୁ ଆସିଯାଇଛି। ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର ଏବଂ କେତେଜଣ ସାମ୍ବାଦିକଙ୍କ ବିରୋଧରେ ଗାଜିଆବାଦ ପୁଲିସ ଥାନାରେ ଏତଲା ଦେଇଛି। ଟ୍ବିଟର ବିରୋଧରେ ଏତଲା ଦେବାର କାରଣ ଏହା ହେଲା ଯେ ଗାଜିଆବାଦ ପୁଲିସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ସତ୍ତ୍ବେ ମଧ୍ୟ ସାମାଜିକ ଗଣମାଧ୍ୟମରୁ ଏହାକୁ ହଟାଯାଇ ନଥିଲା। ତେଣୁ ଲୋନି ଥାନାରେ ଧାରା ୧୫୩ (ଦଙ୍ଗା ସୃଷ୍ଟି ପାଇଁ ଉତ୍ତେଜନା ସୃଷ୍ଟି), ଧାରା ୧୫୩ କ (ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ଉସକାଇବା), ଧାରା ୨୯୫ କ (ଧାର୍ମିକ ଭାବନାକୁ ଉତ୍ତେଜିତ କରିବା), ଧାରା ୫୦୫ (ସାଧାରଣରେ ଅନିଷ୍ଟ ସୃଷ୍ଟିକାରୀ ବିବୃତି) ଏବଂ ଧାରା ୧୨୦ (ଅପରାଧିକ ଷଡ଼ଯନ୍ତ୍ର)ରେ ମାମଲା ରୁଜୁ ହୋଇଛି। ପୁଲିସର ସୂଚନା ଅନୁଯାୟୀ, ସୁଫି ଅବଦୁଲ ସମଦ ନାମକ ଜଣେ ବୟସ୍କ ବ୍ୟକ୍ତିଙ୍କୁ ୬ ଜଣ ଲୋକ ଆକ୍ରମଣ କରିଛନ୍ତି। ସଂପୃକ୍ତ ବ୍ୟକ୍ତି ସେମାନଙ୍କୁ ବିକ୍ରି କରିଥିବା ଅଣ୍ଡା ଆମ୍‌ଲେଟ୍‌ ବିକ୍ରିକୁ ନେଇ ସେମାନେ ଏହି କାଣ୍ଡ ଭିଆଇଛନ୍ତି। ୬ ଜଣଙ୍କ ମଧ୍ୟରେ ଉଭୟ ହିନ୍ଦୁ ଓ ମୁସଲମାନ ଅଛନ୍ତି। ଏତଲାରେ ଅନଲାଇନ୍‌ ନ୍ୟୁଜ ପୋର୍ଟାଲ ‘ଦି ଓୟାର’ ଏବଂ ରାଣା ଆୟୁବ, ସବା ନକ୍‌ଭି, ସଲମାନ ନିଜାମି, ମକସୁର ଉସମାନି ଏବଂ ମହମ୍ମଦ ଜୁବିରଙ୍କ ଭଳି ସାମ୍ବାଦିକଙ୍କ ନାମ ରହିଛି। ଘଟଣାର ସତ୍ୟାସତ୍ୟ ନପରଖି ଏମାନେ ଉକ୍ତ ଖବର ପ୍ରସାର କରିଥିଲେ ବୋଲି ଅଭିଯୋଗ ହୋଇଛି।

କେନ୍ଦ୍ର ସରକାରଙ୍କ ନୂଆ ଆଇଟି ଆଇନ କାର୍ଯ୍ୟକାରୀ ହେବା ପରେ ଟ୍ବିଟର ବିରୋଧରେ ଏହା ପ୍ରଥମ ମାମଲା। ତୃତୀୟ ପକ୍ଷ ପୋଷ୍ଟ କରିଥିବା ବିଷୟ ପାଇଁ ମଧ୍ୟ ସାମାଜିକ ଗଣମାଧ୍ୟମଗୁଡ଼ିକ ବିରୋଧରେ ମାମଲା ରୁଜୁ କରାଯାଇ ପାରିବ ବୋଲି କେନ୍ଦ୍ର ସରକାର ନୂଆ ଆଇଟି ଆଇନରେ ସ୍ପଷ୍ଟ କରିଛନ୍ତି। ଟ୍ବିଟର ପ୍ରବକ୍ତା କହିଛନ୍ତି କମ୍ପାନି ନୂଆ ନିୟମକୁ ପାଳନ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରୁଛି। ପ୍ରତ୍ୟେକ ପର୍ଯ୍ୟାୟ ପଦକ୍ଷେପର ଅଗ୍ରଗତି ସଂପର୍କରେ ଆଇଟି ମନ୍ତ୍ରାଳୟକୁ ଅବଗତ କରାଯାଉଛି।

ସମ୍ବନ୍ଧିତ ଖବର