ଦ୍ବିତୀୟ ଡୋଜ୍‌ ‌ଟିକା ନେଇଥିବା ୮୭ ହଜାର ସଂକ୍ରମିତ, କେରଳରୁ ୪୬%

ଦେଶରେ ଆର୍‌ ଭାଲ୍ୟୁ ୧ ତଳେ

ନୂଆଦିଲ୍ଲୀ: କରୋନା ଟିକାର ୨ଟି ଯାକ ଡୋଜ୍‌ ନେଇ ସାରିଥିବା ୮୭ ହଜାରରୁ ଅଧିକ ଲୋକ ଦେଶରେ କରୋନା ସଂକ୍ରମିତ ‌ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ କେବଳ କେରଳରୁ। କେରଳରେ ପ୍ରଥମ ଡୋଜ୍‌ ଟିକା ନେବାପରେ ପ୍ରାୟ ୮୦ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ଦ୍ବିତୀୟ ଡୋଜ୍‌ ନେବାପରେ ୪୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏହି ମାମଲାଗୁଡ଼ିକ ପାଇଁ ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ହୋଇଛି ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏହା ଚିନ୍ତା ବଢ଼ାଇଛି। ‌କେରଳରେ ପ୍ରାୟ ୨୦୦ ନୂଆ ମାମଲାର ଜିନୋମ୍‌ ସିକ୍ବେନ୍ସିଂ କରାଯାଇଛି। କେରଳର ୱାୟନାଡ଼ରେ ଶତ ପ୍ରତିଶତ ଟିକାକରଣ ହୋଇଥିଲେ ସୁଦ୍ଧା ଏଠାରେ ସଂକ୍ରମଣ ମାମଲା ଅଧିକ ରହିଛି। ଦେଶର ସର୍ବାଧିକ ସଂକ୍ରମଣ ମାମଲା କେରଳରେ ଚିହ୍ନଟ ହୋଇଛି। କେରଳରେ ଗତ ୨୪ ଘଣ୍ଟାରେ ୨୧,୪୨୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ଦେଶରେ ଆର୍‌ ଭାଲ୍ୟୁ ୧ ତଳେ
ନୂଆଦିଲ୍ଲୀ : ଅଗଷ୍ଟ ପ୍ରଥମ ସପ୍ତାହରେ ଦେଶରେ ଆର୍‌ ଭାଲ୍ୟୁ ୧ ଉପରେ ଥିଲା। କିନ୍ତୁ ଏବେ କେରଳ ଏବଂ ଉତ୍ତରପୂର୍ବ ରାଜ୍ୟ ସମେତ ଦେଶରେ ଆର୍‌ ଭାଲ୍ୟୁ ୧ ତଳକୁ ଖସି ଆ‌ସିଛି। ଦେଶରେ ସଂକ୍ରମଣ କିଭଳି ଦ୍ରୁତ ଗତିରେ ମାଡ଼ୁଛି ତାହା ଆର୍‌ ଭାଲ୍ୟୁରୁ ଜଣାପଡ଼େ। ଅଗଷ୍ଟ ୧୪ରୁ ୧୬ ମଧ୍ୟରେ ଦେଶର ଆର୍‌ ଭାଲ୍ୟୁ ଗଣନା କରାଯାଇ ଜଣାପଡ଼ିଛି ଯେ, ଆର୍‌ ଭାଲ୍ୟୁ ୦.୮୯ ରହିଛି। ଯଦି ଆର୍‌ ଭାଲ୍ୟୁ ୧ ତଳେ ରହେ ତେବେ ଜଣାପଡ଼ିବା ଯେ, ସଂକ୍ରମିତଙ୍କ ତୁଳନାରେ ନୂଆ ସଂକ୍ରମଣ କମ୍‌। କେରଳର ଆର୍‌ ଭାଲ୍ୟୁ ବି ୧ ତଳେ ରହିଛି। ଏହା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପାଇଁ ଆଶ୍ବସ୍ତିକର। ଚଳିତ ସପ୍ତାହ ଆରମ୍ଭରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା କେରଳରେ କୋଭିଡ୍‌ ସ୍ଥିତି ସମୀକ୍ଷା ପାଇଁ ଏକ କେନ୍ଦ୍ରୀୟ ଟିମ୍‌ ସହ କେରଳ ଗସ୍ତ କରିଥିଲେ। କେରଳର ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାପାଇଁ କେନ୍ଦ୍ର ସରକାର ୨୬୭.୩୫ କୋଟି ଟଙ୍କା ଦେଇ ସାରିଛନ୍ତି ଏବଂ ସେପ୍ଟେମ୍ବର ସୁଦ୍ଧା କେରଳକୁ ୧.୧୧ କୋଟି ଟିକା ମିଳିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର