ଶେଷରେ ନିଜ ଆଡ଼ୁ ଭାରତ ପ୍ରତି ସଦ୍‌ଭାବନାର ସଙ୍କେତ ଦେଖାଇବାକୁ ବାଧ୍ୟ ହେଲା କି ପାକ୍‌ ? ଭାରତୀୟଙ୍କ ହାଣ୍ଡିଶାଳ ପାଇଁ ଖୋଲିଲା ସୀମାନ୍ତ ଗେଟ୍‌

ଆଫଗାନିସ୍ତାନ୍‌ରୁ ପାକିସ୍ତାନ ସଡ଼କ ପଥରେ ଆସି ପଞ୍ଜାବରେ ପହଞ୍ଚିଲା ପିଆଜ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ବିଫଳ ପ୍ରୟାସ କରିକରି ନିଜ ଛବିକୁ ବିଶ୍ୱ ସମୁଦାୟ ଆଗରେ ମଳିନ କରି ପକାଇଥିବା ପାକିସ୍ତାନ ଏବେ ଭାରତ ପ୍ରତି ଦରଦ ଦେଖାଇ ନିଜର ଛବିକୁ ସୁଧାରିବା ଆରମ୍ଭ କରିଛି। ଏହାର ଏକ ନଜିର ଆଜି ଦେଖିବା ପାଇଁ ମିଳିଛି ଅନ୍ତର୍ଜାତୀୟ ଓ୍ଵାଘା ବର୍ଡରରେ।

ଗତ ସପ୍ତାହରେ ଭାରତର ଅନୁରୋଧ ପରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନିଜର ଆକାଶ ସୀମାକୁ ସିଲ୍‌ କରି ଦେଇଥିବା ପାକିସ୍ତାନ୍‌ ଆଜି ନିଜ ଆଡ଼ୁ ଭାରତୀୟମାନଙ୍କର ହାଣ୍ଡିଶାଳ ପାଇଁ ନିଜର ସୀମାନ୍ତ ଗେଟ୍‌କୁ ଖୋଲି ଦେଇଛି। ଫଳରେ ଆଫ୍‌ଗାନିସ୍ତାନ୍‌ରୁ ଦୁଇଟି ଟ୍ରକ୍‌ରେ ପିଆଜ ଭର୍ତ୍ତି ହୋଇ ପାକିସ୍ତାନ ସଡ଼କ ପଥ ଦେଇ ଅନ୍ତର୍ଜାତୀୟ ଓ୍ଵାଘା ବର୍ଡର ଅତିକ୍ରମ କରି ଆସି ପହଞ୍ଚିଛି ଭାରତରେ। ଭାରତ ପ୍ରତି ଏପରି ଦରଦ ଦେଖାଇବା ପଛର ମୂଳ ଉଦ୍ଦେଶ୍ୟ କିନ୍ତୁ ହେଉଛି ବିଶ୍ୱ ସମୁଦାୟକୁ ଦେଖାଇବା ଯେ ଦେଖ ଆମର ଭାରତ ପ୍ରତି ସଦ୍‌ଭାବନା ରହିଛି।

Live Mint

ଉଲ୍ଲେଖଯୋଗ୍ୟ, ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଦେଶର ପିଆଜ ଫସଲ ସଂପୂର୍ଣ୍ଣ ରୂପେ ଉଜୁଡ଼ି ଯାଇଥିବାରୁ ଦେଶରେ ପିଆଜର ଅଭାବ ଦେଖାଦେବା ସହ ପିଆଜର ଦରରେ ଅହେତୁକ ମୂଲ୍ୟ ବୃଦ୍ଧି ଘଟିଥିଲା। ଆଜି ଦୁଇଟି ଟ୍ରକ୍‌ରେ ୬୦ ମେଟ୍ରିକ୍‌ ଟନ୍‌ ପିଆଜ ଆଫ୍‌ଗାନିସ୍ତାନରୁ ଆସି ଭାରତରେ ପହଞ୍ଚିଥିବା ବେଳେ ଆଉ କିଛି ଦିନ ପିଆଜ ଆମଦାନି ଅବ୍ୟାହତ ରହିଲେ ଦେଶରେ ଦେଖା ଦେଇଥିବା ପିଆଜ ସଙ୍କଟରେ ସୁଧାର ଆସିବ।

ସମ୍ବନ୍ଧିତ ଖବର