ଭିନ୍ନ ରଣନୀତି ସହ ଏକାଠି ହେଉଛନ୍ତି ବିରୋଧୀ ଦଳ

ପ୍ରଧାନମନ୍ତ୍ରୀ ଦୌଡ଼ରୁ ଓହରିଲେ ମାୟା, ମମତା, ରାହୁଲଙ୍କୁ ନେଇ ମତ ସ୍ପଷ୍ଟ କଲା କଂଗ୍ରେସ, ଶିବସେନା ସହ ବିରୋଧୀଙ୍କ କଥାବାର୍ତା

ନୂଆଦିଲ୍ଲୀ : ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା ୧୯ ତାରିଖରେ ଭୋଟ ଗ୍ରହଣ ହେବ। ଏହାସହିତ ଆରମ୍ଭ ହୋଇଯିବ ଭୋଟଗଣତି ପାଇଁ ଅବଗଣନା। ତେବେ ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ ଏନଡିଏକୁ ଆବଶ୍ୟକ ସଂଖ୍ୟକ ଆସନ ମିଳିବ ନାହିଁ ବୋଲି ବିଭିନ୍ନ ସର୍ଭେ ରିପୋର୍ଟ ମିଳିବା ‌ପରେ ବିରୋଧୀ ଦଳ ଶିବିର ଉତ୍ସାହିତ ଅଛି। ନିର୍ବାଚନରେ ଅଲଗା ଅଲଗା ହୋଇ ଲଢ଼ିଥିବା ବିରୋଧୀ ଦଳଗୁଡ଼ିକ ଏବେ ଏକଜୁଟ୍ ହେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ଭିନ୍ନ ରଣନୀତି ସହ। ପ୍ରଧାନମନ୍ତ୍ରୀ କିଏ ହେବ ତାହା ସେମାନଙ୍କ ପାଇଁ ଆଉ ପ୍ରସଙ୍ଗ ହୋଇ ରହିନାହିଁ। ବର୍ତମାନ ମୁଖ୍ୟ ଲକ୍ଷ୍ୟ ହେଲା ବିଜେପିକୁ କ୍ଷମତା ଠାରୁ ଦୂରେଇ ରଖିବା। କଂଗ୍ରେସ ନେତୃତ୍ବାଧୀନ ୟୁପିଏ ଏବଂ ବିଭିନ୍ନ ଆଞ୍ଚଳିକ ଦଳ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ସରକାର ଗଠନରେ ଗୋଟିଏ ପ୍ରକାର ରଣନୀତି ଗ୍ରହଣ କରିବାକୁ ସ୍ଥିର କରିଛନ୍ତି।

ଅଣ ବିଜେପି ଏବଂ ଅଣ କଂଗ୍ରେସ ଦଳଗୁଡ଼ିକୁ ନେଇ ଫେଡେରାଲ ଫ୍ରଣ୍ଟ ଗଠନ କରିବା ଲାଗି ପୂର୍ବରୁ ଉଦ୍ୟମ ଚଳାଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ୍ ନେତା କେ ଚନ୍ଦ୍ରଶେଖର ରାଓ ଏବେ କଂଗ୍ରେସ ସହ ଆଲୋଚନା କରୁଥିବା ଜଣାପଡ଼ିଛି। ସେହିଭଳି ୟୁପିଏ ପକ୍ଷରୁ ସୋନିଆ ଗାନ୍ଧୀ ମଧ୍ୟ ବିରୋଧୀ ଦଳଙ୍କୁ ଏକାଠି କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ସେ କିଛି ନେତାଙ୍କ ସହ କଥା ହୋଇଥିବା ବେଳେ ଆଉ କିଛି ନେତାଙ୍କୁ ପତ୍ର ଲେଖିଛନ୍ତି।

ନିର୍ବାଚନ ପ୍ରଚାର ବେଳେ ବିଜେପି ସହିତ ତିକ୍ତତା ବିଭିନ୍ନ ଆଞ୍ଚଳିକ ଦଳଙ୍କୁ ଏକାଠି କରିବାରେ ସହାୟକ ହୋଇଛି ବୋଲି ରାଜନୈତ୍ିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି। ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏବଂ ବିଏସପି ନେତ୍ରୀ ମାୟାବତୀ ପ୍ରଧାନମନ୍ତ୍ରୀ ହେବାକୁ ଆଶାୟୀ ବୋଲି ଆଗରୁ ସୂଚନା ମିଳିଥଲା। କିନ୍ତୁ ଏବେ ସେମାନଙ୍କ ଦଳ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ଏଭଳି ଯୋଜନା ନାହିଁ। କଂଗ୍ରେସ ପକ୍ଷରୁ ମଧ୍ୟ କୁହାଯାଇଛି ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବା ଲାଗି ସେମାନଙ୍କର କୌଣସି ସର୍ତ ନାହିଁ। କିନ୍ତୁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ମୋଦୀଙ୍କୁ କ୍ଷମତାରୁ ଦୂରେଇ ରଖିବା।

ବିଭିନ୍ନ ସର୍ଭେ ରିପୋର୍ଟକୁ ଯଦି ବିଶ୍ବାସ କରାଯାଏ, ତାହାହେଲେ କୌଣସି ଦଳ ବା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ। ମମତାଙ୍କ ଟିଏମସି, ନବୀନ ପଟ୍ଟନାୟକଙ୍କ ବିଜେଡି, ଚନ୍ଦ୍ର‌େଶଖର ରାଓଙ୍କ ଟିଆରଏସ୍, ଅଖିଳେଶ ଓ ମାୟାବତୀଙ୍କ ଏସପି-ବିଏସପି ମେଣ୍ଟ, ଡିଏମକେ ଏବଂ ଜଗନମୋହନ ରେଡୀଙ୍କ ୱାଇଏସଆର କଂଗ୍ରେସ ନୂଆ ସରକାର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଏହି ନେତାମାନଙ୍କର ଦଳଗୁଡ଼ିକୁ ସଫଳତା ମିଳିବ ବୋଲି କୁହାଯାଉଛି।

ଚନ୍ଦ୍ର ଶେଖର ରାଓ ବିଭିନ୍ନ ଆଞ୍ଚଳିକ ଦଳର ନେତାମାନଙ୍କ ସହିତ କଥାବାର୍ତା କରିଥିଲେ ମଧ୍ୟ ବିଶେଷ ସଫଳତା ମିଳିନଥିଲା। କାରଣ ନବୀନ, ମମତା କିମ୍ବା ଅଖିଳେଶ-ମାୟାବତୀ ଯୋଡ଼ି ଠାରୁ ତାଙ୍କୁ କୌଣସି ନିର୍ଦିଷ୍ଟ ପ୍ରତିଶ୍ରୁତି ମିଳୁନଥିଲା। ଏପରିକି ଡିଏମକେ ନେତା ଷ୍ଟାଲିନ ମଧ୍ୟ ଫେଡେରାଲ ଫ୍ରଣ୍ଟରେ ସାମିଲ ହେବାକୁ ସ୍ପଷ୍ଟ ରୂପେ ମନା କରିଦେଇଥି‌େଲ।

ତେବେ ଏହି ସବୁ ଦଳର ନେତାମାନଙ୍କୁ ଏକାଠି କରିବା ଲାଗି ଅଭିଯାନ ଆରମ୍ଭ କରିଛନ୍ତି ସୋନିଆ ଗାନ୍ଧୀ। ସେହି ନେତାମାନଙ୍କ ସହିତ ‌େସାନିଆଙ୍କର ଭଲ ସଂପର୍କ ରହିଛି। ଏହି ଉଦ୍ୟମକୁ ସଫଳ କରିବା ଲାଗି ‌େସ ବରିଷ୍ଠ ନେତାମାନଙ୍କର ଏକ ଟିମ୍ ଗଠନ କରିଛନ୍ତି। ସୋନିଆ ବିଭିନ୍ନ ଦଳର ନେତାମାନଙ୍କ ସହିତ କଥାବାର୍ତା ହେଉଥିବା ବେଳେ ଟିମର ସଭ୍ୟମାନେ ପରବର୍ତୀ ପଦକ୍ଷେପ ନେଉଛନ୍ତି। ମମତା ବାନାର୍ଜୀଙ୍କ ପକ୍ଷରୁ ଏହାକୁ ନେଇ ଅନୁକୂଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ଚନ୍ଦ୍ରଶେଖର ରାଓ ମଧ୍ୟ ସୋନିଆଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ୨୦୦୪ରେ ୟୁପିଏ ସରକାର ଗଠନ ବେଳେ ମଧ୍ୟ ସୋନିଆ ଏଭଳି ଭୂମିକା ନେଇଥି‌େଲ।

ବିରୋଧୀ ଦଳର ଜଣେ ନେତା କହିଛନ୍ତି ଯେ ମୋଦୀଙ୍କୁ କ୍ଷମତାରୁ ହଟାଇବା ଲାଗି ସେମାନଙ୍କ ପାଖରେ ଆଉ ଏକ ବିକଳ୍ପ ଯୋଜନା ରହିଛି। ତାହାହେଲା ଏନଡିଏକୁ ସେମାନେ ସମର୍ଥନ ଦେବେ, କିନ୍ତୁ ଏଥିଲାଗି ସର୍ତ ରହିଛି। ସର୍ତଟି ହେଲା ବିଜେପି ନେତା ନୀତୀନ ଗଡକରୀଙ୍କୁ ଏନଡିଏ ପ୍ରଧାନମନ୍ତ୍ରୀ କଲେ ସେମାନେ ସମର୍ଥନ ଦେବେ। ଏଥିପାଇଁ ସେମ‌ାନେ ଶିବ ସେନା ଏବଂ ଏନଡିଏର ଆଉ କିଛି ଅସନ୍ତୁଷ୍ଟ ଅଂଶୀଦାର ଦଳର ନେତାମାନଙ୍କ ସହ ଯୋଗାଯୋଗ କରିଛନ୍ତି। ସେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ମୋଦୀ-ଅମିତ ଶାହ ଯୋଡ଼ିଙ୍କୁ କ୍ଷମତାସୀନ କରାଇ ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର