ଶୀଘ୍ର ପେନ୍‌ସନ୍ ଦେବାକୁ ବ୍ୟାଙ୍କଙ୍କୁ ନିର୍ଦେଶ

ନୂଆଦିଲ୍ଲୀ : କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକମାନଙ୍କୁ ଶୀଘ୍ର ପେନ୍‌ସନ୍ ଆବଣ୍ଟନ କରିବାକୁ ବ୍ୟାଙ୍କଗୁଡ଼ିକୁ ସାଧାରଣ ଅଭିଯୋଗ ଓ ପେନ୍‌ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି। ଯଦି ମୂଳ ପେନ୍‌ସନ୍‌ଭୋଗୀଙ୍କ ମୃତ୍ୟୁ ହୋଇଥାଏ ତେବେ ତାଙ୍କ ସହଧର୍ମିଣୀ ଯେଭଳି ପେନ୍‌ସନ୍ ପାଇବାରେ ଅସୁବିଧା ସାମ୍ନା ନକରନ୍ତି ତାହା ନିଶ୍ଚିତ କରିବା ଲାଗି ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଅନାବଶ୍ୟକ ଦସ୍ତାବିଜ ମାଗି ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ବଦଳରେ ଶୀଘ୍ର କିଭଳି ପେନ୍‌ସନ୍ ଦେଇହେବ ସେଥିପାଇଁ କାମ କରିବାକୁ କୁହାଯାଇଛି। ଶ୍ରୀ ସିଂହ କହିଛନ୍ତି ‌ଯେ ପେନ୍‌ସନ୍‌ଭୋଗୀଙ୍କ ମୃତ୍ୟୁ ହୋଇଥି‌ଲେ କେବଳ ମୃତ୍ୟୁ ସାର୍ଟିଫିକେଟ୍ ଦାଖଲ ହେଲେ ତାଙ୍କ ବଦଳରେ ଫାମିଲି ପେନ୍‌ସନ୍ ପାଇବାକୁ ଯୋଗ୍ୟ ସଦସ୍ୟଙ୍କୁ ତୁରନ୍ତ ପେନ୍‌ସନ୍ ଦିଆଯାଉ। ଯଦି ଜଏଣ୍ଟ୍ ଆକାଉଣ୍ଟ୍ ହୋଇଥିବ ତେବେ ସେଭଳି ମାମଲାରେ ଏକ ଦରଖାସ୍ତ ପେନ୍‌ସନ୍ ଆବଣ୍ଟନ ପାଇଁ ଯଥେଷ୍ଟ‌ ବୋଲି ମନ୍ତ୍ରୀ କହିଛନ୍ତି। ଏବିଷୟରେ ଅଧିକାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଫାମିଲି ପେନ୍‌ସନ୍ ମାମଲାଗୁଡ଼ିକର ଦେଖାଶୁଣା କରୁଥିବା ନୋଡାଲ୍ ଅଫିସରଙ୍କ ନାମ ଓ ଯୋଗାଯୋଗ ବିବରଣୀ ବ୍ୟାଙ୍କ ୱେବସାଇଟ୍‌ରେ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ କରିବାକୁ ମଧ୍ୟ କୁହାଯାଇଛି।

ସମ୍ବନ୍ଧିତ ଖବର