ଭାରତ-ପାକ କୂଟନୈତିକ ବିବାଦ, ନିଜ ଉଚ୍ଚାୟୁକ୍ତଙ୍କୁ ଡକାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ବିବାଦ ଆହୁରି ଜଟିଳ ହୋଇଛି । ଭାରତରେ ନିଜ କୂଟନୀତିଜ୍ଞମାନଙ୍କୁ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ କରିଛି ପାକିସ୍ତାନ । ଏହା ସହିତ ଭାରତରେ ଥିବା ନିଜର ଉଚ୍ଚାୟୁକ୍ତ ସୋହେଲ ମେହମୁଦଙ୍କୁ ଇସ୍ଲାମାବାଦ ଫେରିବାକୁ କୁହାଯାଇଛି । ଅନ୍ୟପକ୍ଷରେ ଭାରତ ମଧ୍ୟ ଅନୁରୂପ ଅଭିଯୋଗ କରିଛି । ଗୁରୁବାରଦିନ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞମାନଙ୍କୁ ହଇରାଣ କରାଯାଉଛି ଓ ସେମାନଙ୍କୁ ନିଜ କାମ କରିବାକୁ ଦିଆଯାଉନାହିଁ । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ୍‌ କୁମାର କହିଛନ୍ତି ଯେ ଇସ୍ଲାମାବାଦରେ ଥିବା ଆମ କୂଟନୀତିଜ୍ଞମାନଙ୍କୁ ଜାଣିଶୁଣି ହଇରାଣ କରାଯାଉଛି, ସେମାନଙ୍କ କାମରେ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି । ପାକିସ୍ତାନ ୧୯୬୧ର ଭିଏନା କନଭେନସନକୁ ମାନିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ତେବେ ପାକିସ୍ତାନ ପକ୍ଷରୁ ନିଜ ଉଚ୍ଚାୟୁକ୍ତଙ୍କୁ ଫେରାଇନେବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଏହା ସେଭଳି ଏକ ଗୁରୁତର ଘଟଣା ନୁହେଁ । ପାକିସ୍ତାନ ନିଜର ଉଚ୍ଚାୟୁକ୍ତଙ୍କୁ କେବଳ ଆଲୋଚନା ପାଇଁ ଡକାଇଛି, ଏହାକୁ ପ୍ରତ୍ୟାହାର ବୋଲି କୁହାଯିବ ନାହିଁ । ଆମ ଦେଶର କୂଟନୀତିଜ୍ଞମାନଙ୍କୁ ମଧ୍ୟ ମଝିରେ ମଝିରେ ଡକାଯାଇଥାଏ । ତେବେ ଏହି ପ୍ରସଙ୍ଗରେ ଉପଯୁକ୍ତ କୂଟନୈତିକ ମଞ୍ଚରେ ଉଠାଯିବ ବୋଲି ସେ କହିଛନ୍ତି ।

ପାକିସ୍ତାନର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତରେ କେବଳ କୂଟନୀତିଜ୍ଞମାନଙ୍କୁ ନୁହେଁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହଇରାଣ କରାଯାଉଛି ।

ସମ୍ବନ୍ଧିତ ଖବର