ପିଓକେ ବି ଆମର: ଭାରତ

ବସ୍‌ ସେବା ବାତିଲ କଲା ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ ହଟାଯିବା ପରେ ପାକିସ୍ତାନ ଅଶାନ୍ତ ହୋଇଉଠିଛି। କଶ୍ମୀରରେ ଆତଙ୍କବାଦର କାୟାବିସ୍ତାର ପାଇଁ ଏବେ ପାକିସ୍ତାନ ପାଖରେ ସୁଯୋଗ ନଥିବାରୁ ବିବ୍ରତ ହୋଇ ଜାତିସଂଘର ଦ୍ବାହି ଦେଉଛି ବୋଲି ଆଜି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭାରତ ଏହି ମାମଲାରେ ସ୍ପଷ୍ଟ କରିଦେଇଛନ୍ତି ଯେ ପାକ୍‌ ଅଧିକୃତ କଶ୍ମୀର ମଧ୍ୟ ଭାରତର ଏବଂ ଏ ବାବଦ ଆଭ୍ୟନ୍ତରୀଣ ମାମଲା ନେଇ ପାକିସ୍ତାନ ଜାତିସଂଘରେ ଏହି ପ୍ରସଙ୍ଗ ଉଠାଇବା ଅଧିକାର ନାହିଁ। ଅନ୍ୟପକ୍ଷରେ ଆଜି ପାକିସ୍ତାନ ଥାର୍‌ ଏକ୍ସପ୍ରେସ୍‌ ସେବାକୁ ବାତିଲ କରିବା ସହ ଦିଲ୍ଲୀ-ଲାହୋର ବସ୍‌ ସେବା ମଧ୍ୟ ସ୍ଥଗିତ ରଖିବାକୁ ଘୋଷଣା କରିଛି।

ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର ଆଜି କହିଛନ୍ତି କଶ୍ମୀର ପ୍ରସଙ୍ଗ ସଂପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ମାମଲା ହୋଇଥିବାରୁ ଏଥିରେ ପାକିସ୍ତାନର ସମସ୍ତ ଉଦ୍‌ବେଗ ଅଯୌକ୍ତିକ ଏବଂ ଅପ୍ରାସଙ୍ଗିକ । ପାକିସ୍ତାନ କଶ୍ମୀରବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରବାକୁ ଷଡ଼ଯନ୍ତ୍ର କରୁଛି ଏବଂ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଜମ୍ମୁ କଶ୍ମୀରକୁ ବିକାଶର ରାସ୍ତାରେ ଯିବା ପାଇଁ ପାକିସ୍ତାନ ଅଟକାଇ ପାରିବ ନାହିଁ ଏବଂ ଭାରତର ଆଭ୍ୟନ୍ତରୀଣ ମାମଲାରେ ଏହି ରାଷ୍ଟ୍ରର ହସ୍ତକ୍ଷେପକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଜମ୍ମୁ କଶ୍ମୀରବାସୀଙ୍କ ସ୍ବାର୍ଥରେ ଧାରା ୩୭୦କୁ ଭାରତ ସରକାର ହଟାଇଛନ୍ତି ଏବଂ ଏଥିରେ ପାକିସ୍ତାନର ମୁଣ୍ଡ ପୂରାଇବାର କୌଣସି ଅଧିକାର ନଥିବା କଥା ଅନ୍ତର୍ଜାତୀୟ ସମୁଦାୟ ଅବଗତ ଅଛି। ତେବେ ଏହା ସତ୍ତ୍ବେ ବଭ୍ରାନ୍ତି ସୃଷ୍ଟି ପାଇଁ ଭାରତ ସହ କୂଟନୈତିକ ଅନ୍ୟ ସଂପର୍କକୁ ପାକିସ୍ତାନ ହ୍ରାସ କରିଛି। ଏଭଳି ଏକତରଫା ପଦକ୍ଷେପ ପାକିସ୍ତାନ ପାଇଁ ହିଁ ମହଙ୍ଗା ପଡ଼ିବ ବୋଲି ରବୀଶ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର