ବିମାନରେ ଇସ୍ରୋ ଅଧ୍ୟକ୍ଷଙ୍କୁ ଚିହ୍ନି ପାରି ଏପରି ଆଚରଣ ଦେଖାଇଲେ କ୍ୟାବିନ୍ କ୍ରୁ ଓ ସହଯାତ୍ରୀ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ଅଭିଯାନ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଇସ୍ରୋର ଅଧ୍ୟକ୍ଷ କେ.ଶିବନଙ୍କ ଲୋକପ୍ରିୟତା ସମଗ୍ର ଦେଶରେ ବୃଦ୍ଧି ପାଇଛି । ସେ ଘରେ ଘରେ ପରିଚିତ ହୋଇ ଉଠିଛନ୍ତି । ନିକଟରେ ଦେଖିବାକୁ ମିଳିଛି ଏହାର ଏକ ଉଦାହରଣ ।

ନିକଟରେ ଟୁଇଟରରେ ଅପ୍ଲୋଡ୍ ହୋଇଥିବା ଏକ ଭିଡିଓରୁ ଏକଥାର ପ୍ରମାଣ ମିଳିଛି । ଲେଖିକା ଶେଫାଳୀ ବୈଦ୍ୟ ଏହାକୁ ପୋଷ୍ଟ କରିଛନ୍ତି । ଏକ ବିମାନ ଯାତ୍ରା ସମୟରେ ବିମାନ ମଧ୍ୟରେ ଇସ୍ରୋ ଅଧ୍ୟକ୍ଷଙ୍କୁ ଯାତ୍ରୀମାନେ ଅଭିନନ୍ଦନ ଜଣାଇଥିଲେ । ଏଭଳି ଘଟଣାରେ ଅଭିଭୂତ ହୋଇ ଶେଫାଳୀ ବୈଦ୍ୟ ସେ ସମୟର ଭିଡିଓ ସେୟାର କରି କେ.ଶିବନଙ୍କୁ “ଜନତାର ହିରୋ’ ଆଖ୍ୟା ଦେଇଥିଲେ ।

୯୦ ସେକେଣ୍ଡ ଅବଧିର ଏହି ଭିଡିଓ କ୍ଲିପରେ ଦେଖିବାକୁ ମିଳୁଛି କି କେ.ଶିବନ୍ ବିମାନ ଭିତରକୁ ପ୍ରବେଶ କରିବା ପରେ ପ୍ରଥମେ କ୍ୟବିନ୍ କ୍ରୁ ତାଙ୍କୁ ଚିହ୍ନି ପାରି ଅଭିବାଦନ ଜଣାଇଥିଲେ ଓ ସେଲ୍ଫି ନେବା ଲାଗି ଅନୁମତି ମାଗିଥିଲେ । ଏହାପରେ ଅନ୍ୟ ଯାତ୍ରୀମାନେ ତାଙ୍କ ପରିଚୟ ପାଇବା ପରେ ଅଭିବାଦନ ଜଣାଇବା ସହିତ ସେଲ୍ଫି ନେଇଥିଲେ । ସେ ନିଜ ସିଟକୁ  ଯିବା ବେଳେ ସମସ୍ତ ଯାତ୍ରୀ ତାଳି ମାରି ସ୍ୱାଗତ କରିଥିଲେ ।

ପ୍ରତି ବଦଳରେ ଇସ୍ରୋ ଅଧ୍ୟକ୍ଷ ମଧ୍ୟ ସମସ୍ତ ଯାତ୍ରୀଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହ ହ୍ୟାଣ୍ଡସେକ କରିଥିଲେ । ଟୁଇଟରରେ ଏହି ଭିଡିଓକୁ ୨ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଲୋକେ ତାଙ୍କୁ ଦେଖି ଏପିଜେ ଅବଦୁଲ କାଲାମ୍ ମନେପଡୁଛନ୍ତି ବୋଲି ଲେଖିଥିଲେ ।

ସମ୍ବନ୍ଧିତ ଖବର