ଟିକା ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସୁଲଭ ସମାଧାନ ଉପରେ ଧ୍ୟାନ ଦିଆଯାଉ

ନୂଆଦିଲ୍ଲୀ: କୋଭିଡ୍-୧୯ ପ୍ରତିହତ ଲାଗି ଚାଲିଥିବା ଗବେଷଣା ଏବଂ ଟିକା ବିକାଶ ପ୍ରକ୍ରିୟାର ଅଗ୍ରଗତି ମୂଲ୍ୟାୟନ କରିବାକୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ କହିଲେ, ପରୀକ୍ଷା ହେଉ, ଟିକା ହେଉ ବା ଔଷଧ ହେଉ, ସେ ସବୁ ସୁଲଭ ମୂଲ୍ୟର, ସହଜରେ ଉପଲବ୍ଧ ଏବଂ ଅଧିକ ଉତ୍ପାଦନ କରାଯାଇ ପାରୁଥିବା ଆବଶ୍ୟକ।

ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ‌ହର୍ଷ ବର୍ଦ୍ଧନ, ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ), ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା, ବରିଷ୍ଠ ବୈଜ୍ଞାନିକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ପ୍ରତି ଭାରତରେ ତିନୋଟି ଟିକା ପରୀକ୍ଷା ସ୍ତରରେ ଥିବା ବେଳେ ଏହି ବୈଠକ ଅନୁଷ୍ଠିତ ହୋଇଛି। ‘ଆଇସିଏମ୍‌ଆର୍‌’ ସହଯୋଗରେ ସ୍ବଦେଶୀ ଟିକା ବିକାଶ କରୁଥିବା ଭାରତ ବାୟୋଟେକ୍ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଚଳାଇଛି। ଖୁବ୍ ଶୀଘ୍ର ଏହି ପରୀକ୍ଷାର ଫଳାଫଳ ଜଣାପଡ଼ିବ।

Image Courtesy of Hindustan Times

ଭାରତୀୟ ଟିକା ବିକାଶକାରୀ ଏବଂ ନିର୍ମାତାମାନଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଏହି ସମସ୍ତ ଉଦ୍ୟମର ପ୍ରସାର ଓ ସହାୟତା କରିବାକୁ ସରକାର ପ୍ରତିବଦ୍ଧ। କିନ୍ତୁ, ସମଗ୍ର ବିଶ୍ବ ପାଇଁ ମଧ୍ୟ ଭାରତ ତାହା କରିବ।

ଟିକା ପରୀକ୍ଷା ଚାଲିଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଟିକା ସଂରକ୍ଷଣ, ବଣ୍ଟନ ଏବଂ ପ୍ରାଥମିକତା ଆଦି ବିଷୟରେ ବନ୍ଦୋବସ୍ତ ଆରମ୍ଭ କରିଛନ୍ତି। ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଟିକା ବଣ୍ଟନ ଏବଂ ଡେଲିଭରି ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ‘ଇ-ଭିନ୍’ (ଇଲେକ୍ଟ୍ରୋନିକ୍ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟ୍‌ୱାର୍କ) ମାଧ୍ୟମରେ ସଂଯୁକ୍ତ ଭାରତର ୭୦୦ରୁ ଅଧିକ ଜିଲ୍ଲାରେ ପ୍ରାୟ ୨୭, ୦୦୦ ଟିକା ସଂରକ୍ଷଣ କେନ୍ଦ୍ର ରହିଛି। ସଂରକ୍ଷିତ ଟିକାର ଉପଯୁକ୍ତ ତାପମାନ ଉପରେ ନଜର ରଖିବାକୁ ଅନ୍ୟୂନ ୫୦ ହଜାର ‘ଟେମ୍ପରେଚର୍‌ ଲଗର୍’ ଏବଂ ଟିକା ପରିବହନ ପରିଚାଳନା ନିମନ୍ତେ ଅନ୍ୟୂନ ୪୦ ହଜାର ‘ଫ୍ରଣ୍ଟ୍‌ଲାଇନ ୱାର୍କର୍’ ଲାଗି ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର