୯୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଲକ୍ଷ୍ନୌରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମବାର୍ଷିକୀ ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଥିବା ଲୋକ ଭବନରେ ବାଜପେୟୀଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ୍‌, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆୟୋଜିତ ଉତ୍ସବରେ ଉପସ୍ଥିତ ହୋଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ନିଜର ଅଭିଭାଷଣରେ କହିଥିଲେ, ‘ଧାରା ୩୭୦ର ଉଚ୍ଛେଦ ଓ ରାମ ମନ୍ଦିର ସମସ୍ୟାର ସମାଧାନ ଶାନ୍ତିପୂର୍ଣ୍ଣ ଭାବେ ହୋଇଛି। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତରେ ଆଶ୍ରୟ ନେଇଥିବା ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବାଟ ସଫା ହୋଇଛି। ୧୩୦ କୋଟି ଭାରତୀୟ ପୂର୍ଣ୍ଣ ଆତ୍ମବିଶ୍ବାସର ସହ ଏପରି ସବୁ ସମସ୍ୟାର ସମାଧାନ ପାଇଛନ୍ତି।’

ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଦିନ ମଧ୍ୟପ୍ରଦେଶର ଗ୍ଵାଲିଅର ଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୯୧, ୧୯୯୬, ୧୯୯୮, ୧୯୯୯ ଏବଂ ୨୦୦୪ ମସିହାରେ ପାଞ୍ଚ ଥର  ଲାଗି ଲୋକସଭାରେ  ଲକ୍ଷ୍ନୌ ସଂସଦୀୟ କ୍ଷେତ୍ରର ପ୍ରତିନିଧିତ୍ବ କରିଛନ୍ତି।

ବାଜପେୟୀଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ବୁଧବାର ସକାଳୁ ଦିଲ୍ଲୀ ଠାରେ ଥିବା ତାଙ୍କ ସ୍ମାରକୀ ‘ସଦୈବ ଅଟଳ’ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜେପି ନାଡ୍ଡା, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ବରିଷ୍ଠ ବିଜେପି ନେତା ଲାଲ୍‌କୃଷ୍ଣ ଆଡଭାନୀ ମଧ୍ୟରେ ସେଠାରେ ଉପସ୍ଥିତ ରହି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

 

ସମ୍ବନ୍ଧିତ ଖବର