ଲାଇନମ୍ୟାନର ପ୍ରତିଶୋଧ : ପୁଲିସ ଚାଲାଣ କାଟିବାରୁ ଥାନାର ଲାଇନ କାଟିଦେଲା

ସାମଲି : ଲାଇନମ୍ୟାନ ଗାଡ଼ି ଚଳାଇବାବେଳେ ହେଲମେଟ ପିନ୍ଧି ନଥିବାରୁ ପୁଲିସ ୬ ହଜାର ଟଙ୍କାର ଚାଲାଣ କାଟିଦେଲା । ଏହାର ପ୍ରତିଶୋଧ ନେବାକୁ ଯାଇ ସଂପୃକ୍ତ ଲାଇନମ୍ୟାନ ସଂପୂର୍ଣ୍ଣ ଥାନାର ବିଦ୍ୟୁତ ସଂଯୋଗ କାଟି ଦେଇଥିବା ଖବର ଚର୍ଚ୍ଚାର ବିଷୟ ହୋଇଛି । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ସାମଲି ଜିଲ୍ଲା ଭବାନ ଥାନାରେ । ଏ ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ଉକ୍ତ ଲାଇନମ୍ୟାନଙ୍କ ନାଁ ହେଉଛି ମହମ୍ମଦ ମହତାବ । ସେ ଭବାନ ଥାନା ଅଂଚଳରେ ଥିବା ବିଦ୍ୟୁତ ବିଭାଗରେ ଠିକାରେ କାମ କରେ । ନିକଟରେ ସେ ବିନା ହେଲମେଟରେ ଯାଉଥିବାବେଳେ ତାଙ୍କୁ ପୁଲିସ ଧରିଥିଲା । ହେଲମେଟ ପିନ୍ଧିନଥିବାରୁ ତା ନାଁରେ ୬ ହଜାର ଟଙ୍କାର ଚାଲାଣ କାଟି ଧରାଇଦେଇଥିଲା ପୁଲିସ । ତା’ର ମାସିକ ଦରମା  ମାତ୍ର ୫ ହଜାର ଥିବାବେଳେ ୬ ହଜାର ଟଙ୍କାର ଚାଲାଣ ତାକୁ ବେଶ ବାଧିଥିଲା ।

 

ଏଣୁ ପୁଲିସକୁ ମଜା ଚଖାଇବାକୁ ମହତାବ ସୁଯୋଗ ଅପେକ୍ଷାରେ ଥିଲା । ବିଦ୍ୟୁତ ବିଭାଗ ପାଖରେ ଉକ୍ତ ଥାନାର ପ୍ରାୟ ୫୫ ହଜାର ଟଙ୍କାର ବିଦ୍ୟୁତ ଦେୟ ବକେୟା ଥିଲା । ଏଣୁ ସେ ଯାଇ ଥାନାର ବିଦ୍ୟୁତ ସଂଯୋଗ କାଟିଦେଇଥିଲା । କିଛି ଲୋକ ମୋବାଇଲରେ ଏହି ଘଟଣାର ଭିଡିଓ କରିବା ପରେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ଉକ୍ତ ଅଂଚଳ ଦାୟିତ୍ବରେ ଥିବା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ କହିଛନ୍ତି ଯେ ଉକ୍ତ ଥାନାର ୫୫ ହଜାର ଟଙ୍କାର ବିଦ୍ୟୁତ ବିଲ୍ ବକେୟା ଥିଲା । ଏଥିପାଇଁ ହିଁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି ।

 

 

ସମ୍ବନ୍ଧିତ ଖବର