ଜନସଂଖ୍ୟା ନୀତିର ପୁନର୍ବିଚାର କରାଯିବା ଉଚିତ: ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ମୋହନ ଭାଗବତ

ନାଗପୁର: ଜନସଂଖ୍ୟା ଅସନ୍ତୁଳନ ସମସ୍ୟା ହୋଇଥିବାରୁ ଜନସଂଖ୍ୟା ନୀତିକୁ ପୁଣି ଥରେ ବିଚାର କରାଯିବା ସହ ଆଗାମୀ ୫୦ ବର୍ଷ ପାଇଁ ଏହି ନୀତି ସମଭାବେ ଉଚିତ ବୋଲି ଆଜି ‘ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ’ର ମୁଖ୍ୟ ମୋହନ ଭାଗବତ କହିଛନ୍ତି।

ମହାରାଷ୍ଟ୍ରର ନାଗପୁରରେ ବିଜୟା ଦଶମୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ସେ ଉପରୋକ୍ତ କଥା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁମ୍ବାଇରେ ଥିବା ଇଜ୍ରାଏଲ୍‌ର କନ୍‌ସୁଲେଟ୍‌ ଜେନେରାଲ୍‌ କୋବ୍ଦି ଶୋଶନି ମଧ୍ୟ ଯୋଗ ଦେଇଥିଲେ।

ଏହା ବ୍ୟତିରେକେ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଓଟିଟି ପ୍ଲାଟ୍‌ଫର୍ମ’ରେ ପ୍ରଦର୍ଶନ ହେଉଥିବା ବିଷୟବସ୍ତୁ ଉପରେ ନିୟନ୍ତ୍ରଣ ନ ଥିବାରୁ ତାହା ଦେଶ ପ୍ରତି ହାନିକାରକ ହୋଇପାରେ। ମହାମାରୀ ବ୍ୟାପିବା ପରଠାରୁ ପ୍ରାୟ ସବୁ ପିଲା ଗୋଟାଏ ମୋବାଇଲ୍‌ ଫୋନ୍‌ ପାଇଯାଇଛନ୍ତି। ସେମାନେ ସେଲ୍‌ଫୋନ୍‌ରେ ଦେଖୁଥିବା ବିଷୟବସ୍ତୁ ଉପରେ କୌଣସି ନିୟନ୍ତ୍ରଣ କରାଯାଉ ନାହିଁ।

ଭାଗବତ ପୁଣି ମଧ୍ୟ କହିଛନ୍ତି ଯେ, ଭାରତରେ ମାଦକଦ୍ରବ୍ୟ ବ୍ୟବହାର ବୃଦ୍ଧି ପାଉଛି। ପାକିସ୍ତାନ ପ୍ରତି ଆକ୍ଷେପ କରି ସେ କହିଲେ, କେତେକ ସୀମାନ୍ତ ରାଷ୍ଟ୍ରମାନେ ଏଥିପାଇଁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ସେଥିରୁ ମିଳୁଥିବା ଆୟକୁ ଭାରତରେ ଦେଶବିରୋଧୀ କାର୍ଯ୍ୟକଳାପରେ ବିନିଯୋଗ କରାଯାଉଛି।

Image Courtesy of India Today

‘କ୍ରିପ୍ଟୋକରେନ୍‌ସି’କୁ (ଅଦୃଶ୍ୟ ମୁଦ୍ରା) ମଧ୍ୟ ସେ ସମାଲୋଚନା କରି କହିଛନ୍ତି, ‘ବିଟ୍‌କଏନ୍‌’ ଭଳି ଗୁପ୍ତ, ଅନିୟନ୍ତ୍ରିତ ମୁଦ୍ରା ସମସ୍ତ ଦେଶର ଅର୍ଥନୀତିକୁ ଦୋହଲାଇ ଦେବା ସହ ସାଙ୍ଘାତିକ ଚାଲେଞ୍ଜ୍‌ ଭାବେ ଉଭାହୋଇପାରେ। ଏସବୁକୁ ନିୟନ୍ତ୍ରଣ କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

ସରକାରଙ୍କ ପଦକ୍ଷେପକୁ ସମାଜ ପ୍ରତୀକ୍ଷା କରିବା ଅନୁଚିତ। ଘରୁ ହିଁ ପିଲାମାନଙ୍କ ମନରେ ମୂଲ୍ୟବୋଧ ଭରିବା ଉଚିତ। ଆତ୍ମ ନିୟନ୍ତ୍ରଣ ହିଁ ସର୍ବୋତ୍ତମ ବୋଲି ପିଲାମାନଙ୍କୁ ଶିକ୍ଷା ଦିଆଯିବା ଉଚିତ।

ସେ ପୁଣି କହିଲେ, ଏବର୍ଷ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯିବ। ‘ସ୍ୱ’ ଆଧାରିତ ଭାରତ ଗଠନ ଉପରେ ସେ ବ୍ୟାପକ ଲେଖିଛନ୍ତି। ଏବର୍ଷ ମଧ୍ୟ ଶ୍ରୀଧର୍ମପାଳଙ୍କର ଜନ୍ମଶତବାର୍ଷିକୀ। ସେ ଗାନ୍ଧୀଜୀଙ୍କଦ୍ୱାରା ଉଦ୍‌ବୁଦ୍ଧ ହୋଇ ବ୍ରିଟିସ୍‌ ସରକାରଙ୍କ ଆଗରେ ଭାରତର ଇତିହାସ ପ୍ରମାଣ ଉପସ୍ଥାପନ କରିବା ପାଇଁ କାର୍ଯ୍ୟ କରିଥିଲେ।

ଭାରତରେ ପ୍ରଚଳିତ ସନାତନ ମୂଲ୍ୟ ଧାରାରେ ଯଦି ବିଶ୍ୱ ଧର୍ମର ପରିକଳ୍ପନା କରାଯିବ ତେବେ, ସ୍ୱାର୍ଥ ଶକ୍ତିର ଅପକର୍ମ ଆପେ ଆପେ ନିପାତ ହୋଇଯିବ।

ସମ୍ବନ୍ଧିତ ଖବର