ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ ହେଲେ ପ୍ରମୋଦ କୁମାର ମିଶ୍ର

ମନମୋହନଙ୍କ ଛାତ୍ର, ମୋଦୀଙ୍କ ସହଯୋଗୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଡ. ପ୍ରମୋଦ କୁମାର ମିଶ୍ର। ଶ୍ରୀ ମିଶ୍ର ଆଜି ଆନୁଷ୍ଠାନିକ ଭାବେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ଏଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିବ‌‌ାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ସୁବିଧା ମିଳିବ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ଶ୍ରୀ ମିଶ୍ର ପ୍ରଧାନମନ୍ତ୍ରୀଙ୍କର ଅତିରିକ୍ତ ପ୍ରମୁଖ ସଚିବ ଥିଲେ।

ଗୁଜରାଟ କ୍ୟାଡରର ଓଡ଼ିଆ ଆଇଏଏସ୍ ଅଫିସର ପିକେ ମିଶ୍ରଙ୍କୁ ନୃପେନ୍ଦ୍ର ମିଶ୍ରଙ୍କ ସ୍ଥାନରେ ନିଯୁକ୍ତି ମିଳିଛି। ନୃପେନ୍ଦ୍ର ଗତ ସପ୍ତାହ ଇସ୍ତଫା ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତମ ଅଧିକାରୀଙ୍କ ମଧ୍ୟରେ ପ୍ରମୋଦ କୁମାର ମିଶ୍ର ହେଉଛନ୍ତି ଅନ୍ୟତମ। ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଗୁଜରାଟରେ ତାଙ୍କ ସହିତ
କାମ କରିଥିଲେ।

ନୀତି ନିର୍ଦ୍ଧାରଣ ଓ ଉତ୍ତମ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ଅନୁଭୂତି ଯୋଗୁ ମିଶ୍ରଙ୍କୁ ଭାରତ ସରକାରଙ୍କ ଅନେକ ମନ୍ତ୍ରଣାଳୟରେ ଉଚ୍ଚ ପଦପଦବିରେ କାର୍ଯ୍ୟ କରିବାର ଦକ୍ଷତା ରହିଛି। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ, କୃଷି ଓ ସମବାୟ ମନ୍ତ୍ରଣାଳୟର ସଚିବ, ଗୁଜରାଟ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରର ପଦଭାର ଅନ୍ୟତମ।

ଶ୍ରୀ ମିଶ୍ର ୧୯୭୦ ମସିହାରେ ତତ୍‌କାଳୀନ ଗଙ୍ଗାଧର ମେହେର କଲେଜ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)ରୁ ଅର୍ଥନୀତି ବିଷୟରେ ସ୍ନାତକ (ଅନର୍ସ) ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହ ଅନ୍ୟାନ୍ୟ ବିଷୟରେ ଡିଷ୍ଟିଙ୍କସନ ରଖିଥିଲେ। ସେତେବେଳେ ଓଡିଶାର ସବୁ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାରେ ସେ ଥିଲେ ପ୍ରଥମ ଛାତ୍ର।

ସେହିଭଳି ପ୍ରଦୀପ କୁମାର ସିହ୍ନାଙ୍କୁ ମୋଦୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପ୍ରଦୀପ କୁମାର ସିହ୍ନା ୧୯୭୭ ବ୍ୟାଚ୍‌ର ଉତ୍ତର ପ୍ରଦେଶ କ୍ୟାଡର ଅଫିସର୍‌।

ମନମୋହନଙ୍କ ଛାତ୍ର, ମୋଦୀଙ୍କ ସହଯୋଗୀ

ସମ୍ବଲପୁର : ଭାଷା ଆନ୍ଦୋଳନର ପଞ୍ଚସଖା ମଧ୍ୟରୁ ଅନ୍ୟତମ ଶ୍ରୀପତି ମିଶ୍ରଙ୍କ ନାତି ଅଟନ୍ତି ପ୍ରମୋଦ(ଶ୍ରୀପତିଙ୍କ ପୁତୁରାଙ୍କ ପୁଅ)। ତାଙ୍କ ପୁସ୍ତକ ସିମଳା ଯାତ୍ରାର ପ୍ରଚାର-ପ୍ରସାରରେ ମଧ୍ୟ ଗୁରୁତ୍ବ ଦିଅନ୍ତି। ତାଙ୍କ ବାପା ପ୍ରସନ୍ନ ମିଶ୍ର (ପ୍ରତିଷ୍ଠିତ ଓକିଲ) ଓ ମା’ ପ୍ରେମଶିଳା ମିଶ୍ର। ସେମାନେ ୫ ଭାଇ, ଭଉଣୀ। ପ୍ରମୋଦଙ୍କ ଜାଆଁଳା ଭଉଣୀ କଲ୍ୟାଣୀ ଜଣେ ଗୃହିଣୀ, କମଳିନୀ ଏବଂ ତରଙ୍ଗିଣୀ ଅବସରପ୍ରାପ୍ତ ଅଧ୍ୟାପିକା, ଭାଇ କୁମୁଦ ମିଶ୍ର ଇଡକୋ ଅଧିକାରୀ ଅଟନ୍ତି। ପ୍ରମୋଦ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସର ଛାତ୍ର ଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂ ତାଙ୍କର ଅଧ୍ୟାପକ ଥିଲେ।

ସମ୍ବନ୍ଧିତ ଖବର