ତାଲିବାନ ଘୋଷଣା କଲା କଠୋର ଆଇନ, ସର୍ବସାଧାରଣରେ ଦିଆଯିବ ମୃତ୍ୟୁଦଣ୍ଡ

କାବୁଲ : ଆଫଗାନିସ୍ତାନରେ ଇସ୍ଲାମିକ ଆଇନ ସଂପୂର୍ଣ୍ଣଭାବେ ଲାଗୁ କରିବାକୁ ତାଲିବାନ ନିର୍ଦ୍ଦେଶ ଦେଇଛି । ବିଭିନ୍ନ ଅପରାଧ ପାଇଁ ଇସ୍ଲାମରେ ଥିବା ନିର୍ଦ୍ଦେଶ ଅନୁସାରେ ଦଣ୍ଡ ଦିଆଯିବ । ସେଗୁଡ଼ିକ ମଧ୍ୟରେ ରହିଛି ସର୍ବସାଧାରଣରେ ମୃତ୍ୟୁଦଣ୍ଡ, ପଥର ଫିଙ୍ଗି ମୃତ୍ୟୁଦଣ୍ଡ,ଚାବୁକ ପ୍ରହାର, ଚୋରମାନଙ୍କ ଅଙ୍ଗଛେଦନ ଇତ୍ୟାଦି ।

ଏକ ଟ୍ୱିଟ୍ କରି ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଉଲ୍ଲେଖ କରିଛନ୍ତି ଯେ ତାଲିବାନର ସର୍ବୋଚ୍ଚ ନେତା ହୈବାତୁଲ୍ଲା ଅଖୁନ୍ଦଜାଦା ଏହି ନିର୍ଦ୍ଦେଶ ଜାରି କରିଛନ୍ତି । କିଛିଦିନ ପୂର୍ବେ ସେ କିଛି ବିଚାରପତିଙ୍କ ସହ ଗୁପ୍ତ ଆଲୋଚନା ପରେ ଏହି ନିର୍ଦ୍ଦେଶ ଦେଇଥିଲେ ।

ଅଖୁନଜାଦାଙ୍କ ନିର୍ଦ୍ଦେଶକୁ ଉଦ୍ଧାର କରି ମୁଜାହିଦ କହିଛନ୍ତି ଯେ, ଚୋର, ଅପରହରଣକାରୀ, ଦେଶଦ୍ରୋହୀ ଓ ଅନ୍ୟ ଅପରାଧୀମାନଙ୍କ ଫାଇଲକୁ ଭଲ ଭାବରେ ପରୀକ୍ଷା କର । ଯେଉଁ ଅପରାଧଗୁଡ଼ିକ ସରିଆ ଆଇନର ସର୍ତ୍ତାବଳୀକୁ ପାଳନ କରୁଛି, ତାହାକୁ ସେହି ଅନୁସାରେ ଦଣ୍ଡବିଧାନ କର । ଏହା ପାଳନ କରିବା ସରିଆ ଆଇନ ଅନୁସାରେ ବାଧ୍ୟତାମୂଳକ ବୋଲି ଅଖୁନଜାଦା ନିର୍ଦ୍ଦେଶ ଦେଇଛନ୍ତି  ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୧ ଅଗଷ୍ଟ ମାସରେ ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ଅଖୁନଜାଦାକୁ ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଥିଲା । ତେବେ ସେବେଠାରୁ ଅଖୁନଜାଦାର କୌଣସି ଫଟୋ ଓ ଭିଡିଓ ସର୍ବସାଧାରଣରେ ପ୍ରକାଶ ପାଇନାହିଁ । ସେ ନିଜେ କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି ନାହିଁ ।

ସମ୍ବନ୍ଧିତ ଖବର