ରାଫେଲ ଚୁକ୍ତି କାଳରେ ସମସ୍ତ ବିଧି ବ୍ୟବସ୍ଥାକୁ ପାଳନ କରାଯିବା ସହ କୌଣସି ପ୍ରକାରର ଦୁର୍ନୀତି ହୋଇନାହିଁ; ସୁପ୍ରିମ୍‌ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌ ଠାରୁ ୩୬ଟି ଲଢ଼ୁଆ ରାଫେଲ ବିମାନ କ୍ରୟ ପାଇଁ କେନ୍ଦ୍ରର ମୋଦି ସରକାର ଯେଉଁ ଚୁକ୍ତି କରିଥିଲେ, ତାହାର କିଛି ଦସ୍ତାବିଜ୍‌ର ନକଲ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଉପସ୍ଥାପିତ କରାଯାଇଛି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟକୁ କୁହାଯାଇଛି ଯେ ରାଫେଲ ଯୁଦ୍ଧ ବିମାନ କ୍ରୟ କାଳରେ ‘ଡିଫେନ୍ସ ପ୍ରୋକିେଓ୍ଵାରମେଣ୍ଟ ପ୍ରୋସିଡିୟୋର-୨୦୧୩’କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂପୂର୍ଣ୍ଣ ଭାବେ ପାଳନ କରାଯାଇଛି। ସୁରକ୍ଷା ସଂପର୍କିତ କ୍ୟାବିନେଟ୍‌ କମିଟିର ଅନୁମୋଦନ ମିଳିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ବାୟୁସେନା ପାଇଁ ଲଢ଼ୁଆ ରାଫେଲ ବିମାନ ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌ ଠାରୁ କିଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବା ସହ ଏଥିପାଇଁ କମିଟି ଗଠନ କରାଯାଇଥିଲା।

ଗଠିତ କମିଟି କିଣାଯିବାକୁ ଥିବା ୩୬ଟି ରାଫେଲ ବିମାନ, ଏଥିରେ ଉପଲବ୍ଧ ଥିବା ସୁବିଧା ସୁଯୋଗ, କ୍ରୟ ପରବର୍ତ୍ତୀକାଳୀନ ରକ୍ଷଣାବେକ୍ଷଣ ଏବଂ ସର୍ବୋପରି ମୂଲ୍ୟ ଅନ୍ୟାନ୍ୟ ଲଢ଼ୁଆ ବିମାନ ତୁଳନାରେ ଶ୍ରେଷ୍ଠ ଥିବା ସମୀକ୍ଷା କରି ଜଣାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ କିଣାଯିବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ତେବେ, ରାଫେଲ ବିମାନ କ୍ରୟ ପାଇଁ ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌ ଭାରତରେ ନିଜର ଅଫ୍‌ସେଟ୍‌ ପାର୍ଟନର ଭାବେ କାହାକୁ ନିଯୁକ୍ତ କରିବ, ସେଥିରେ ଭାରତ ସରକାରଙ୍କର କୌଣସି ଭୂମିକା ନାହିଁ କିମ୍ବା ଭାରତ ସରକାର ସେଥିରେ ହସ୍ତକ୍ଷେପ ମଧ୍ୟ କରିନାହାନ୍ତି।

ଡିଫେନ୍ସ ଅଫ୍‌ସେଟ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ବିଦେଶରୁ କୌଣସି ଜିନିଷର କ୍ରୟକାଳରେ ସଂପୃକ୍ତ ବିଦେଶୀ ନିର୍ମାଣକାରୀ କମ୍ପାନି ଦେଶରେ ନିଜର ଅଫସେଟ୍‌ ପାର୍ଟନର ଭାବେ କେଉଁ ଭାରତୀୟ କମ୍ପାନିକୁ ନିଯୁକ୍ତ କରିବ, ତାହା ହେଉଛି ତା’ର ନିଜସ୍ୱ ବ୍ୟାପାର।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ରାଫେଲ ଯୁଦ୍ଧ ବିମାନ କ୍ରୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପୂରା ଘଟଣାର ସିବିଆଇ ତଦନ୍ତ କରାଇବାକୁ ନିର୍ଦ୍ଦେଶ ଦେବାକୁ ଦାବି କରି ଏକାଧିକ ମାମଲା ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିଲା। ଏହି ସମସ୍ତ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ରାଫେଲ ବିମାନ କ୍ରୟ ସଂପର୍କିତ ଦଲିଲ୍‌ର ନକଲ ଜଉମୁଦ ଲଫାପାରେ ପୂରାଇ କୋର୍ଟରେ ଉପସ୍ଥାପିତ କରିବା ପାଇଁ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲଙ୍କୁ ଗତ ଅକ୍ଟୋବର ୩୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଏହି ସମସ୍ତ ଦଲିଲ୍‌ର ନକଲ ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ, ଜଷ୍ଟିସ୍‌ ଉଦୟ ଉମେଶ ଲଲିତ୍‌ ଓ ଜଷ୍ଟିସ୍‌ କେଏମ୍‌ ଯୋସେଫ୍‌ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠଙ୍କ ନିକଟରେ ଦାଖଲ ହୋଇଛି। ତେବେ, ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠଙ୍କ ନିକଟରେ ଦାଖଲ ହୋଇଥିବା ଦଲିଲ୍‌ ଗୋପନୀୟ ଓ ଦେଶର ସୁରକ୍ଷା ସଂପର୍କିିତ ହୋଇଥିବା କାରଣରୁ ଏହାର ନକଲ ଆବେଦନକାରୀ କିମ୍ବା ଅନ୍ୟ କାହାରିକି ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର