ସରକାରଙ୍କ ହସ୍ତକ୍ଷେପ ପରେ ଦେଶରେ ରେମଡେସଭିର ଇଂଜେକ୍ସନର ମୂଲ୍ୟ କମିଲା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଚିନ୍ତାଜନକଭାବେ ବଢିଚାଲିଥିବା ବେଳେ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଇଂଜେକ୍ସନ ରେମଡେସଭିରର ଚାହିଦା ହଠାତ ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ଦେଶରେ ଏହି ଇଂଜେକ୍ସନର ଉପଲବ୍ଧତା ବୃଦ୍ଧି କରିବାକୁ ପଦକ୍ଷେପ ନେଉଛନ୍ତି । ଏହା ସହିତ ସରକାରଙ୍କ ହସ୍ତକ୍ଷେପ ପରେ ଫାର୍ମା କମ୍ପାନିମାନେ ଏହି ଔଷଧର ଦର ହ୍ରାସ କରିଛନ୍ତି ।

ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ସରକାରଙ୍କ ହସ୍ତକ୍ଷେପ ପରେ ଔଷଧ କମ୍ପାନିମାନେ ଦର ହ୍ରାସ କରିଛନ୍ତି । କାର୍ଡିଲା ଦ୍ବାରା ପ୍ରସ୍ତୁତ ୧୦୦ ମିଲିଗ୍ରାମ ରେମଡାକ ଇଂଜେକ୍ସନର ମୂଲ୍ୟ ପୂର୍ବରୁ ୨୮୦୦ ଟଙ୍କା ଥିବାବେଳେ ଏବେ ତାହା ୮୯୯କୁ ହ୍ରାସ ପାଇଛି । ସେହିପରି ବାୟୋକନ ଦ୍ବାରା ଭାରତରେ ବିକ୍ରି କରାଯାଉଥିବା ରେମଓ୍ବିନର ମୂଲ୍ୟ ୩୯୫୦ ଟଙ୍କାରୁ ୨୪୫୦ ଟଙ୍କାକୁ ହ୍ରାସ ପାଇଛି । ଡଃ ରେଡ୍ଡୀ ଲାବର ରେଡିକ୍ସ ଇଂଜେକ୍ସନର ମୂଲ୍ୟ ପୂର୍ବରୁ ୫୪୦୦ ଥିବାବେଳେ ତାହା ୨୭୦୦ ଟଙ୍କାକୁ ଖସିଆସିଛି । ସିପଲାର ସିପ୍ରେମି ଇଂଜେକ୍ସନର ମୂଲ୍ୟ ୪୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ କମିଯାଇଛି ।

ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବା ଦୃଷ୍ଟିରୁ କେନ୍ଦ୍ର ସରକାର କିଛିଦିନ ତଳେ ରେମଡେସଭିର ତଥା ରେମଡେସଭିର ଆକ୍ଟିଭ ଫାର୍ମାସୁଟିକାଲ ଇନଗ୍ରେଡିଏନ୍ସ (ଏପିଆଇ) (ଏହି ଔଷଧ ପ୍ରସ୍ତୁତିରେ ଲାଗୁଥିବା କଞ୍ଚାମାଲ)ର ରପ୍ତାନିକୁ ନିଷିଦ୍ଧ କରିଥିଲେ । ଦେଶରେ କରୋନା ମହାମାରୀ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ।

ସମ୍ବନ୍ଧିତ ଖବର