୧୫,୦୦୦ କୋଟି ଟଙ୍କାର ବାଇକ୍ ବଟ୍ ସ୍କାମ୍‌: କମ୍ପାନି ଓ ପ୍ରମୋଟର ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ସିବିଆଇ ୧୫,୦୦୦ କୋଟି ଟଙ୍କା ଦୁର୍ନୀତିର ପର୍ଦ୍ଦାଫାସ କରିବା ସହ ଉତ୍ତରପ୍ରଦେଶର ସମ୍ପୃକ୍ତ କମ୍ପାନି ବିରୋଧରେ ମାମଲା ରୁଜୁ କରିଛି। ଏହି ଦୁର୍ନୀତି ହୀରା ବେପାରୀ ନିରବ ମୋଦି ଓ ମେହୁଲ ଚୋକ୍ସିଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିଠାରୁ ମଧ୍ୟ ବଡ଼। ଏଫ୍‌ଆଇଆର୍ ଅନୁଯାୟୀ ବାଇକ୍‌ ବଟ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ଭାଟି ଓ ଅନ୍ୟ ୧୪ ଜଣ ଦେଶର ନିବେଶକମାନଙ୍କ ୧୫,୦୦୦ କୋଟି ଟଙ୍କା ଠକି ନେଇଛନ୍ତି। ବାଇକ୍ ବଟ୍ ନାମରେ ବାଇକ୍ ଟ୍ୟାକ୍ସି ସେବା ଦେବାକୁ କହି ଏମାନେ ଆକର୍ଷଣୀୟ ପୁଞ୍ଜିନିବେଶ ଯୋଜନା ପ୍ରବର୍ତ୍ତନ କରିଥିଲେ, ଯେଉଁଥିରେ ଜଣେ ନିବେଶକ ଗୋଟିଏ, ତିନୋଟି, ପାଞ୍ଚଟି ବା ସାତଟି ବାଇକ୍ ପାଇଁ ନିବେଶ କରିପାରିବେ। କମ୍ପାନି ବାଇକ୍‌ଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ। ନିବେଶକଙ୍କୁ ମାସିକ ଭଡ଼ା, ସମାନ ମାସିକ କିସ୍ତି (ଇଏମ୍‌ଆଇ) ଓ ବୋନସ୍ (ଅଧିକ ବାଇକ୍ ହୋଇଥିଲେ) ଦିଆଯିବ। ବାଇନାରୀ (ଦ୍ବିକ) ଢାଞ୍ଚାରେ ଆଉ ଜଣେ ନିବେଶକ ଯୋଡ଼ିଲେ ଅଧିକ ପ୍ରୋତ୍ସାହନ ରାଶି ମଧ୍ୟ ମିଳିବ ବୋଲି କମ୍ପାନି ଘୋଷଣା କରିଥିଲା।

କମ୍ପାନି ମଧ୍ୟ ବିଭିନ୍ନ ସହରରେ ଫ୍ରାଞ୍ଚାଇଜି ଦେଇଥିଲା। କିନ୍ତୁ ବାଇକ୍ ଟ୍ୟାକ୍ସି ସେସବୁ ସହରରେ ଚାଲିଲା ନାହିଁ। ଅଗଷ୍ଟ ୨୦୧୭ରେ ଯୋଜନା ଆରମ୍ଭ ହୋଇଥିଲା ଏବଂ ନିବେଶକ ଓ ଗ୍ରାହକଙ୍କଠାରୁ ଟଙ୍କା ଆଦାୟ ଓ ପଇଠ ୨୦୧୯ ପର୍ଯ୍ୟନ୍ତ ଚାଲିଲା। ନଭେମ୍ବର ୨୦୧୮ରେ କମ୍ପାନି ସମାନ ଯୋଜନା ଇ-ବାଇକ୍ ପାଇଁ ଆରମ୍ଭ କଲା। ପେଟ୍ରୋଲ ବାଇକ୍ ତୁଳନାରେ ଏଥିପାଇଁ ନିବେଶ ରାଶିକୁ ପ୍ରାୟ ଦ୍ବିଗୁଣ କରାଗଲା। କମ୍ପାନିର ଲୋଭନୀୟ ବିଜ୍ଞାପନ ଦେଖି ପ୍ରାୟ ୨ ଲକ୍ଷ ନିବେଶକ ପୁଞ୍ଜି ଲଗାଇଲେ। ପରେ କମ୍ପାନି ଠକୁଛି ବୋଲି ଅଭିଯୋଗ ହେଲେ ମଧ୍ୟ ପୁଲିସ ଶୁଣିଲା ନାହିଁ। ଏକ ସୁଚିନ୍ତିତ ଷଡ଼୍‌ଯନ୍ତ୍ରରେ ସିଞ୍ଜୟ ଭାଟି ଓ ତାଙ୍କ ସହଯୋଗୀମାନେ ନିବେଶକମାନଙ୍କଠାରୁ ପ୍ରାୟ ୧୫,୦୦୦ କୋଟି ଟଙ୍କା ଲୁଟି ନେଲେ।
ପୂର୍ବରୁ ବିଭିନ୍ନ ଅଭିଯୋଗ ଭିତ୍ତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗର୍ବିତ ଇନ୍ନୋଭେଟିଭ୍ ପ୍ରମୋଟର୍ସ ଲିମିଟେଡ୍ ଓ ଏହାର ପ୍ରମୋଟର ସଞ୍ଜୟ ଭାଟିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ନିର୍ଦ୍ଦେଶାଳୟ ମଧ୍ୟ ସେମାନଙ୍କର ୨୧୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।

ସମ୍ବନ୍ଧିତ ଖବର