ୟୁକ୍ରେନ ଉପରେ ୧୫ଟି କ୍ଷେପଣାସ୍ତ୍ର ପକାଇଲା ରୁଷ୍

କିଭ୍: ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୀଷଣ ହୋଇଚାଲିଛି । ଗୁରୁବାର ଦିନ ୟୁକ୍ରେନର ରାଜଧାନୀ କିଭ୍ ସମେତ ୧୦ଟି ସହର ଉପରେ ରୁଷୀୟ ସେନା ପ୍ରାୟ ୧୫ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଏହି ଆକ୍ରମଣରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।

ୟୁକ୍ରେନର ରାଜଧାନୀ କିଭ୍ ରେ ଥିବା ଆବାସିକ କୋଠା ଓ ପାୱାର ପ୍ଲାଣ୍ଟକୁ ରୁଷ୍ କ୍ଷେପଣାସ୍ତ୍ର ରେ ଟାର୍ଗେଟ କରିଛି। ଏହି କାରଣରୁ ଜାପୋରିଝିଆ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରୁ ବିଦ୍ୟୁତ  ଯୋଗାଣ ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ କିଭ୍ ର ୧୫ ପ୍ରତିଶତ ଅଞ୍ଚଳ ଅନ୍ଧାର ହୋଇଯାଇଛି । ଅନ୍ୟାନ୍ୟ ସହରରେ ମଧ୍ୟ ବିଜୁଳି ଯୋଗାଣ ହେଉନାହିଁ। ଆକ୍ରମଣ ପରେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଆଶ୍ରୟଗୃହକୁ ଯିବାକୁ ନିବେଦନ କରାଯାଇଛି ।

ଅନ୍ୟପକ୍ଷରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କି ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେବାକୁ ମନା କରିଦେଇଛନ୍ତି। ୟୁକ୍ରେନ ଛାଡିବା ପର୍ଯ୍ୟନ୍ତ ଆମେ ରୁଷସେନା ସହ କଥା ବାର୍ତ୍ତା କରିବୁ ନାହିଁ ବୋଲି ଜେଲେନସ୍କି କହିଛନ୍ତି, ଅତି କମରେ ୧୦ଟି ପ୍ରଦେଶରେ ଆବାସିକ କୋଠା ଏବଂ ଭିତ୍ତିଭୂମିକୁ କ୍ଷେପଣାସ୍ତ୍ର ଦ୍ୱାରା ଟାର୍ଗେଟ କରାଯାଇଛି ।

ସମ୍ବନ୍ଧିତ ଖବର