୪ ଦିନରେ ଦ୍ବିତୀୟ ବୈଠକ, ବରିଷ୍ଠ ମନ୍ତ୍ରୀଙ୍କ ସହିତ ପୁଣି ମୋଦୀଙ୍କ ମାନସମନ୍ଥନ

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ସମୟରେ ମୋଦୀ ସରକାରଙ୍କ ଭାବମୂର୍ତ୍ତିରେ କିଛିଟା ଆଞ୍ଚ ଆସିଥିବା ଧାରଣା ସୃଷ୍ଟି ହୋଇଛି। ତେଣୁ ସରକାରଙ୍କ ଭାବମୂର୍ତ୍ତି, ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା ଆଦି ପରଖିବା ସହିତ ଆଗକୁ କ’ଣ କରାଯାଇ ପାରିବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀମାନଙ୍କ ସହିତ ମାନସମନ୍ଥନ ଜାରି ରଖିଛନ୍ତି। ଗତ ୪ ଦିନ ମଧ୍ୟରେ ଦ୍ବିତୀୟ ଥର ପାଇଁ ମୋଦୀ ପୁଣି କିଛି ବରିଷ୍ଠ ମନ୍ତ୍ରୀ ଓ ଦଳର ବରିଷ୍ଠ କର୍ମକର୍ତ୍ତାମାନଙ୍କ ସହିତ ବିଚାରବିମର୍ଶ କରିଛନ୍ତି। ଗତ ଶୁକ୍ରବାର ସଂଧ୍ୟାରେ ମୋଦୀ ୭ ଜଣ ବରିଷ୍ଠ ମନ୍ତ୍ରୀଙ୍କ ସହିତ ପ୍ରାୟ ୫ ଘଣ୍ଟା ଧରି ଆଲୋଚନା କରିଥିବା ବେଳେ ସୋମବାର ମଧ୍ୟ ୫ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଛନ୍ତି।

ସୋମବାର ଯେଉଁ ମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ବୈଠକ କରିଛନ୍ତି ସେମାନଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ, ସାର ଓ ରସାୟନ ମନ୍ତ୍ରୀ ‌ସଦାନନ୍ଦ ଗୌଡ଼ା, ସଡ଼କ ପରିବହନ ଓ ରାଜପଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ ପ୍ରମୁଖ ରହିଛନ୍ତି। ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ସାଂଗଠନିକ ସାଧାରଣ ସଂପାଦକ ବି ଏଲ୍ ସନ୍ତୋଷ ପ୍ରମୁଖ ବି ଯୋଗ ଦେଇଥିଲେ। ସରକାରଙ୍କ କାର୍ଯ୍ୟରେ କିଭଳି ଉନ୍ନତି ଆସିବ ଏବଂ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିବ ତାହା ଉପରେ ଆଲୋଚନା ହୋଇଛି। ଦଳ ପକ୍ଷରୁ ଏହା ନିୟମିତ ବୈଠକ ଏବଂ କରୋନା ପରିଚାଳନା ସମେତ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବରିଷ୍ଠ ମନ୍ତ୍ରୀମାନଙ୍କ ମତାମତ ନିଆଯାଉଛି ବୋଲି କୁହାଯାଉଛି, ତଥାପି କରୋନା କାଳରେ ଏଭଳି ବୈଠକ ‌ନେଇ ନାନା ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର