ଶ୍ରଦ୍ଧା ହତ୍ୟା ମାମଲା: ଅଫତାବ ଏବେ ତିହାର ଜେଲରେ କରୁଛି କ’ଣ?

ନୂଆଦିଲ୍ଲୀ: ଲିଭ୍‌-ଇନ୍ ସଙ୍ଗିନୀ ଶ୍ରଦ୍ଧା ୱାକରଙ୍କ ହତ୍ୟାକାରୀ ଅଫତାବ ପୁନାୱାଲା ଏବେ ତିହାର ଜେଲରେ ଉପନ୍ୟାସ ପଢ଼ୁଛି, ଚେସ୍ ଖେଳୁଛି ଓ ମହାଖୁସିରେ ଅଛି। ଜଣେ ତଦନ୍ତକାରୀ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ ଅଫତାବ ଦିଲ୍ଲୀ ପୁଲିସର ସବୁ ନିର୍ଦ୍ଦେଶ ମାନୁଛି। ତା’ର ଏହି ଉତ୍ତମ ବ୍ୟବହାର ତା’ର ଅଭ୍ୟାସକରା ପରି ମନେ ହେଉଥିବା ଉତ୍ତର ସହ ମେଳ ଖାଉଛି। ଜେଲ ସୂତ୍ରରୁ ଜଣାପଡ଼ିଛି ଯେ ଦିଲ୍ଲୀ ପୁଲିସ ଅଫତାବକୁ ‘ଦ ଗ୍ରେଟ୍ ରେଲ୍‌ୱେ ବଜାର: ବାଇ ଟ୍ରେନ୍ ଥ୍ରୁ ଏସିଆ’ ଉପନ୍ୟାସ ଦେଇଛି। ଅଫତାବ ଏକ ଇଂରାଜି ଉପନ୍ୟାସ ପଢ଼ିବାକୁ ମାଗିବାରୁ ତାକୁ ଆମେରିକୀୟ ଔପନ୍ୟାସିକ ପଲ ଥେରକ୍ସଙ୍କର ଏହି ଉପନ୍ୟାସଟି ଦିଆଯାଇଥିଲା। ଏହା ଏକ ଭ୍ରମଣ କାହାଣୀ-ମୂଳକ ଉପନ୍ୟାସ।

କର୍ତ୍ତୃପକ୍ଷ ସତର୍କତାର ସହ ଏହି ଉପନ୍ୟାସଟି ବାଛିଥିଲେ, ଯେଉଁଥିରେ କୌଣସି ଅପରାଧ ଘଟଣାର ବର୍ଣ୍ଣନା ନାହିଁ। ଏଥି ସହ ଅଫତାବ ଜେଲରେ ସଙ୍ଗୀମାନଙ୍କ ସହ ଚେସ୍‌ ବି ଖେଳୁଛି ଓ ଖେଳର ନେତୃତ୍ବ ନେଉଛି। ପୁଲିସର କହିବା ଅନୁସାରେ ଅଫତାବ ଅତ୍ୟନ୍ତ ଚତୁର। ତା’ର କର୍ତ୍ତୃପକ୍ଷଙ୍କ କଥା ମାନିବା, ଅପରାଧ ସ୍ବୀକାର କରିବା ଓ ତଦନ୍ତରେ ସହଯୋଗ କରିବାଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ସନ୍ଦେହଜନକ। ସବୁ ପଛରେ ତା’ର କିଛି ଷଡ଼୍‌ଯନ୍ତ୍ର ଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର