ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ଓଡ଼ିଆଙ୍କ କମାଲ:ଭକ୍ତ, ଝିଲି ଜିତିଲେ ସ୍ବର୍ଣ୍ଣ; ସ୍ନେହାଙ୍କୁ ରୌପ୍ୟ

‘ମାଣ୍ଡିଆ ମୂଲକୁ ଅମୂଲ କଲେ ଭକ୍ତରାମ’

ଭୁବନେଶ୍ବର/ବ୍ରହ୍ମପୁର: ଅଷ୍ଟ୍ରେଲିଆର ଆପିଆ (ସାମୋଆ ରାଜଧାନୀ)ରେ ମଙ୍ଗଳବାର ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଆଙ୍କ କମାଲ ଦେଖିବାକୁ ମିଳିଛି। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ୩ ଜଣ ଯାକ ଓଡ଼ିଆ ପ୍ରଥମ ଦିବସରେ ହିଁ ପଦକ ଅମଳ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭକ୍ତରାମ ଦେଷ୍ଟି ୨ଟି ଓ ଝିଲ୍ଲି ଦଳବେହେରା ଗୋଟିଏ ସ୍ବର୍ଣ୍ଣ କରାୟତ କରିଥିଲା ବେଳେ ସ୍ନେହା ସୋରେନ୍‌ ରୌପ୍ୟ ପଦକ ଜିତି ଚମକ ଛାଡ଼ିଛନ୍ତି। ଏହି ପ୍ରତିଯୋଗିତାରୁ ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ପାଇଁ ଖେଳାଳି ମନୋନୟନ କରାଯିବ।
ଓଡ଼ିଶାର ଏହି ୩ ଖେଳାଳି ୪ ବିଭାଗରେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି। ବ୍ରହ୍ମପୁର ଛାତ୍ରାବାସର ଅନ୍ତେବାସୀ ଭକ୍ତରାମ ଦେଷ୍ଟି କନିଷ୍ଠ ଓ ଯୁବ ବର୍ଗ ପୁରୁଷ ୪୯ କେଜି ବିଭାଗରେ ମୋଟ ୧୮୪ କେଜି ଭାର ଉଠାଇ ଉଭୟ ସ୍ନାଚ୍‌ ଏବଂ କ୍ଲିନ୍‌ ଓ ଜର୍କରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ନିଜର ପଦାର୍ପଣ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭକ୍ତ ସ୍ନାଚ୍‌ରେ ୭୬ ଏବଂ କ୍ଲିନ୍‌ ଓ ଜର୍କରେ ୧୦୮ କେଜି ଭାର ଉଠାଇଥିଲେ। ଭକ୍ତରାମଙ୍କ ସଫଳତାକୁ ନେଇ ତାଙ୍କ ପ୍ରଶିକ୍ଷିକା ସୀତା ଜେନା ବେଶ୍‌ ଉତ୍ସାହିତ। ଗତବର୍ଷ ମାଟ୍ରିକ୍‌ ପରୀକ୍ଷା ଖରାପ୍‌ ପାଇଁ ଖେଳ ଛାଡ଼ି ଦେଇଥିଲେ ଭକ୍ତରାମ। ଫେରିଯାଇଥିଲେ ନିଜ ଗାଁ ମାଲକାନଗିରି ଚିତ୍ରକୋଣ୍ଡାକୁ। ପାଠ, ଖେଳ ସବୁ ଛାଡ଼ି ଚାଷବାସରେ ସହଯୋଗ କରିବା ପାଇଁ ପରିବାର ଲୋକେ କହିଥିଲେ। ସୀତାଙ୍କ ପ୍ରୟାସ ଯୋଗୁଁ ତାଙ୍କ ପରିବାର ଲୋକେ ପୁଣିଥରେ ଖେଳିବାକୁ ଅନୁମତି ଦେଇଥିଲେ। ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ତାଙ୍କ ବାପା ମାଣ୍ଡିଆ ବିକି ଟଙ୍କା (୩,୦୦୦) ଦେଇଥିଲେ ଭକ୍ତରାମଙ୍କୁ ପୁଣିଥରେ ଛାତ୍ରାବାସକୁ ଫେରିବା ପାଇଁ। ଆଉ ‌ସେହି ମାଣ୍ଡିଆର ମୂଲକୁ ଭକ୍ତରାମ ଆଜି ଅମୂଲ କରି ଦେଇଛନ୍ତି ବୋଲି ବେଶ୍ ଭାବପ୍ରବଣ ହୋଇ ମତ ରଖିଛନ୍ତି ସୀତା ଜେନା।
ବରିଷ୍ଠ ମହିଳା ବର୍ଗରେ ଝିଲ୍ଲି ୪୫ କେଜିରେ ମୋଟ ୧୫୪ କେଜି ଭାର ଉଠାଇ ସ୍ବର୍ଣ୍ଣ ପଦକ କବ୍‌ଜା କରିଥିଲେ। ସେ ସ୍ନାଚ୍‌ରେ ୭୦ ଏବଂ କ୍ଲିନ୍‌ ଓ ଜର୍କରେ ୯୪ କେଜି ଭାର ଉତ୍ତୋଳନ କରିଥିଲେ। ଅନ୍ୟପକ୍ଷରେ କନିଷ୍ଠ ମହିଳାରେ ସ୍ନେହା ୫୫ କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ସ୍ନାଚ୍‌ରେ ୭୩ ଏବଂ କ୍ଲିନ୍‌ ଓ ଜର୍କରେ ୯୬ କେଜି (ମୋଟ ୧୬୯ କେଜି) ଉତ୍ତୋଳନ କରିଥିଲେ। ଓଡ଼ିଆ ଖେଳାଳିଙ୍କ ଦମ୍‌ଦାର ପ୍ରଦର୍ଶନ ପାଇଁ ଓଡ଼ିଶା ସଂଘର ସଂପାଦକ ନାରାୟଣ ସାହୁ, ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ, କାର୍ଯ୍ୟକାରୀ ସଭାପତି ନିଳମଣୀ ସାହୁ, ଉପସଭାପତି ଲକ୍ଷ୍ମୀନାରାୟଣ ରାଉତ, ଡା ହରିପ୍ରସାଦ ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର