ବାସି ନୁଡୁଲ୍ସ ଖାଇବା ହେଲା କାଳ, କଟା ହେଲା ଛାତ୍ରଙ୍କ ହାତଗୋଡ

ନୂଆଦିଲ୍ଲୀ: ବାସି ନୁଡୁଲ୍ସ ଖାଇବା ହେଲା କାଳ। କାଟିବାକୁ ପଡ଼ିଲା ହାତଗୋଡ। ଘଟଣାଟି ଆଶ୍ଚର୍ଯ୍ୟଜନକ ମନେହେଉଥିଲେ ହେଁ ସତ।  ବ୍ରିଟେନରେ ରହୁଥିବା ଜଣେ ଛାତ୍ର ଫ୍ରିଜରେ ରଖାଯାଇଥିବା ଚିକେନ ନୁଡୁଲ୍ସ ଖାଇ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ତାଙ୍କ ହାତଗୋଡ କାଟିବାକୁ ପଡ଼ିଛି ।  ‘ନିଉ ଇଂଲଣ୍ଡ୍ ଜର୍ଣ୍ଣାଲ ଅଫ୍ ମେଡିସିନ୍’ରେ ଏହି ଘଟଣା ବିଷୟରେ ପ୍ରବନ୍ଧ ପ୍ରକାଶ ପାଇବା ପରେ ବିରଳ ବ୍ୟାକଟେରିଆ ସଂକ୍ରମଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ନିଉ ଇଂଲଣ୍ଡ୍ ଜର୍ଣ୍ଣାଲ ଅଫ୍ ମେଡିସିନ ଅନୁଯାୟୀ, ପୂର୍ବ ରାତିରେ ପୀଡ଼ିତ ଛାତ୍ରଙ୍କ ବନ୍ଧୁ ଏକ ରେସ୍ତୋରାଁରୁ ଚିକେନ ନୁଡୁଲ୍ସ ଅର୍ଡର କରିଥିଲେ। ଖାଇବା ପରେ ‘ଚିକେନ ନୁଡୁଲ୍ସ’ ବଳିବାରୁ ସେ ଏହାକୁ ଫ୍ରିଜରେ ରଖି ଦେଇଥିଲେ। ପରଦିନ ଏହାକୁ ପୀଡ଼ିତ ଫ୍ରିଜରୁ କାଢ଼ି ଖାଇଥିଲେ। ଖାଇବାର କିଛି ଘଣ୍ଟା ପରେ ତାଙ୍କ ଶରୀରର ରଙ୍ଗ ବଦଳିବା ସହ ତାପମାତ୍ରା ବଢ଼ିଥିଲା ଓ ସେ ନିଶ୍ବ‌ାସ ନେଇପାରିନଥିଲେ। ତୁରନ୍ତ ତାଙ୍କୁ ଆଇସିୟ‌ୁରେ ଭର୍ତ୍ତି କରାଯିବା ପରେ ଡାକ୍ତର କାରଣ ଖୋଜିବାରେ ଲାଗିପଡ଼ିଥିଲେ। ବିଭିନ୍ନ ପରୀକ୍ଷା ପରେ ତାଙ୍କ ରକ୍ତରେ ‘ନାଇସେରିଆ ମେନିନଜାଇଟିଡିସ’ ନାମକ ବ୍ୟାକଟେରିଆ ଥିବା ଜଣାପଡ଼ିଥିଲା।

ଡାକ୍ତରମାନେ କହିଥିଲେ ଯେ ପ୍ରାୟ ୧୦ଜଣଙ୍କ ମଧ୍ୟରୁ ଜଣଙ୍କ ନାକ ଓ ଗଳା ପଛପଟେ ଏହି ବ୍ୟାକଟେରିଆ ରହିଥାନ୍ତି। ବେଳେବେଳେ ଏହି ବ୍ୟାକଟେରିଆ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ଆକ୍ରମଣ କରି କିଛି ରୋଗ ସୃଷ୍ଟି କରନ୍ତି। ଏହି ଜୀବାଣୁ ରକ୍ତଚାପ କମ କରିବା ସହ ଅମ୍ଲଜାନ ପ୍ରବାହକୁ ରୋକିଥାଏ। ଛାତ୍ରଙ୍କ ଶରୀର ଭିତରେ ଏହି ସଂକ୍ରମଣ ପ୍ରବଳ ବେଗରେ ବ୍ୟାପିବାରୁ ଆମେ ତାଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିବା ପରେ ଛାତ୍ରଙ୍କ ହାତଗୋଡ କାଟିବାକୁ ବାଧ୍ୟ ହୋଇଥିଲୁ।

ସମ୍ବନ୍ଧିତ ଖବର