୫ ବର୍ଷ ପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦୁଇଜଣ ନୂତନ ବିଚାରପତି ନିଯୁକ୍ତ କରାଯାଇଛି। କଲେଜିୟମ୍ ଦ୍ବାରା ନାମ ସୁପାରିସ କରାଯିବାର ୪୮ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ନିଯୁକ୍ତି ବିଜ୍ଞପ୍ତି ଜାରି କରିଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଭାବେ ଗୌହାଟି ହାଇକୋର୍ଟର ପ୍ରଧାନ ବିଚାରପତି ସୁଦର୍ଶନ ଧୁଲିଆ ଏବଂ ଗୁଜୁରାଟ ହାଇକୋର୍ଟର ବିଚାରପତି ଜାମସେଦ ବି ପାରଦୀୱାଲାଙ୍କୁ ନିଯୁକ୍ତ କରାଯାଇଛି। ଆଜି ରାଷ୍ଟ୍ରପତି ସେମାନଙ୍କ ନିଯୁକ୍ତି ଉପରେ ମୋହର ଲଗାଇଛନ୍ତି।

ମେ’ ୫ରେ ସୁପ୍ରିମକୋର୍ଟ କଲେଜିୟମ ଦୁଇଜଣ ନୂତନ ବିଚାରପତିଙ୍କ ନାମକୁ କେନ୍ଦ୍ର ସରକାରଙ୍କ ନିକଟକୁ ନିଯୁକ୍ତି ଲାଗି ସୁପାରିସ କରିଥିଲେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ବି ରମନ୍ନାଙ୍କ ନେତୃତ୍ୱରେ ଗଠିତ କଲେଜିୟମ ସୁଦର୍ଶନ ଧୁଲିଆ ଏବଂ ଜାମସେଦ ବି ପାରଦୀୱାଲାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଆଇନ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଗ୍ରହଣ କରାଯାଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଅଣାଯାଇଥିଲା। ଏହି ଦୁଇ ବିଚାରପତି ସୋମବାର ଦିନ ଶପଥ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି।

ସୂଚନାନୁସାରେ, ଜଷ୍ଟିସ୍ ପାରଦୀୱାଲା ଭାରତର ପ୍ରଧାନ ବିଚାରପତି ହେବାର ସମ୍ଭାବନା ରହିଛି ।  ତାଙ୍କର କାର୍ଯ୍ୟକାଳ ପ୍ରାୟ ୨ ବର୍ଷ ୩ ମାସ ହେବ। ସେ ସୁପ୍ରିମକୋର୍ଟର ଚତୁର୍ଥ ପାରସୀ ବିଚାରପତି ହେବେ। ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବିଚାରପତିଙ୍କୁ ନିଯୁକ୍ତି ଦେଇଛି ସୁପ୍ରିମକୋର୍ଟ। ଏହାପୂର୍ବରୁ ଫେବ୍ରୁଆରି ୨୦୧୭ରେ ବିଚାରପତି ଏସ୍ ଅବଦୁଲ୍ ନାଜିରଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତ କରାଯାଇଥିଲା। ଏହାର ଠିକ ୫ବର୍ଷ ପରେ ଜଷ୍ଟିସ୍ ପାରଦୀୱାଲାଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଜଷ୍ଟିସ ସୁଦର୍ଶନ ଧୁଲିଆ ଉତ୍ତରାଖଣ୍ଡ ହାଇକୋର୍ଟରୁ ପଦୋନ୍ନତି ପାଇ ସୁପ୍ରିମକୋର୍ଟକୁ ଆସୁଛନ୍ତି।

ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନାଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ କଲେଜିୟମ ଗତ ବର୍ଷ ଅଗଷ୍ଟରୁ ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟର ବିଚାରପତି ପାଇଁ ୧୧ଟି ନାଁକୁ  ସର୍ବସମ୍ମତି କ୍ରମେ ସୁପାରିଶ କରିଛନ୍ତି।

ସମ୍ବନ୍ଧିତ ଖବର