୪୦ ଦିନ ଧରି ଚାଲିଥିଲା ଶୁଣାଣି, ସୁପ୍ରିମ୍‌ କୋର୍ଟ ଇତିହାସରେ ଦ୍ବିତୀୟ ଦୀର୍ଘତମ ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ଜନ୍ମଭୂମି ବାବ୍ରି ମସଜିଦ୍ ଜମି ବିବାଦ ମାମଲା ହେଉଛି ସୁପ୍ରିମ କୋର୍ଟ ଇତିହାସରେ ଦ୍ବିତୀୟ ଦୀର୍ଘତମ ଶୁଣାଣି। ଏହି ମାମଲାର ଶୁଣାଣି ୪୦ ଦିନ ଧରି ଚାଲିଥିଲା। ରାଜନୈତିକ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ଏହି ମାମଲାର ଶୁଣାଣି ଚଳିତବର୍ଷ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମେ ଅକ୍ଟୋବର ୧୮ ପର୍ଯ୍ୟନ୍ତ ଶୁଣାଣି ଚାଲିବ ବୋଲି ସୁପ୍ରିମ କୋର୍ଟର ଖଣ୍ଡପୀଠ ସ୍ଥିର କରିଥିଲେ। କିନ୍ତୁ ପରେ ଏହାକୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲେ ମଧ୍ୟ ସୁପ୍ରିମ କୋର୍ଟ ଏହାର ଶୁଣାଣିକୁ ଅକ୍ଟୋବର ୧୬ରେ ଶେଷ‌ କରିଦେଇଥିଲେ। ଶୁଣାଣି ଅକ୍ଟୋବର ୧୬ରେ ଶେଷ ହୋଇଥିବାବେଳେ ଏହି ମାମଲାର ରାୟ ନଭେମ୍ବର ୯ ତାରିଖରେ ପ୍ରକାଶ ପାଇଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ ସମ୍ବିଧାନ ପୀଠ ଏହି ମାମଲାର ବିଚାର କରିଥିଲେ।

ଏହା ପୂର୍ବରୁ ୧୯୭୩ ମସିହାର କେଶବାନନ୍ଦ ଭାରତୀ ମାମଲା ହେଉଛି ସୁପ୍ରିମ କୋର୍ଟ ଇତିହାସର ସବୁଠୁ ଦୀର୍ଘତମ ଶୁଣାଣି। ସମ୍ବିଧାନର ମୌଳିକ ଢାଞ୍ଚାର ସିଦ୍ଧାନ୍ତକୁ ପ୍ରତିପାଦିତ କରିବା ପାଇଁ ହୋଇଥିବା ଏହି ମାମଲାର ଶୁଣାଣି ଦୀର୍ଘ ୬୮ ଦିନ ଧରି ଚାଲିଥିଲା। ତୃତୀୟ ଦୀର୍ଘତମ ଶୁଣାଣି ଆଧାର ସ୍କିମ୍ ପାଇଁ ହୋଇଥିଲା। ଏହି ମାମଲାର ଶୁଣାଣି ଦୀର୍ଘ ୩୮ ଦିନ ଧରି ଚାଲିଥିଲା। ୧୯୫୦ ମସିହାରେ ସୁପ୍ରିମ କୋର୍ଟ ସ୍ଥାପନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଏହି ମାମଲା ଗୁଡ଼ିକର ଶୁଣାଣି ଦୀର୍ଘଦିନ ପାଇଁ ଚାଲିଥିଲା।

ସମ୍ବନ୍ଧିତ ଖବର