ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି ୧୮ରେ, ଦ୍ବନ୍ଦ୍ବ ଭିତରେ ଚାଲିଛି ପ୍ରସ୍ତୁତି

ରଥ ପ୍ରତିଷ୍ଠା ପାଇଁ ଅନୁମତି, ବଡ଼ଦାଣ୍ଡରୁ ଉଠା ଦୋକାନ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରଥଯାତ୍ରା ବନ୍ଦ ପାଇଁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ପିଟିସନ୍‌ର ଶୁଣାଣି ଆସନ୍ତା ୧୮ ତାରିଖ ଦିନ ହେବ। ଶୁଣାଣି ପାଇଁ ମାମଲାକୁ ୧୧ ନମ୍ବରରେ ତାଲିକାଭୁକ୍ତ କରାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେ, ବିଚାରପତି ଏ.ଏସ୍‌. ବୋପନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କ ଖଣ୍ଡପୀଠରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଓଡ଼ିଶା ବିକାଶ ପରିଷଦ ଦ୍ବାରା ଦାଖଲ କରାଯାଇଥିବା ପିଟିସନ୍‌ରେ ପକ୍ଷଭୁକ୍ତ ହେବା ପାଇଁ ଜୟନ୍ତ କୁମାର ବଳଙ୍କ ଦ୍ବାରା ଦାଖଲ କରାଯାଇଥିବା କ୍ୟାଭେଟ୍‌ ଆବେଦନର ମଧ୍ୟ ଶୁଣାଣି ହେବ।

ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢ଼ୀ ସୁପ୍ରିମକୋର୍ଟର ଆଇନଜୀବୀ ରଂଜିତା ରୋହତଗୀଙ୍କ ଜରିଆରେ ଗତ ୧୧ ତାରିଖରେ ରିଟ୍‌ ପିଟିସନ୍‌ ଦାଖଲ କରିଥିବାବେଳେ ଗତକାଲି ଆଇନଜୀବୀ ହିତେନ୍ଦ୍ରନାଥ ରଥଙ୍କ ଜରିଆରେ ଜୟନ୍ତ କୁମାର ବଳ କ୍ୟାଭେଟ୍‌ ଆବେଦନ ଫାଇଲ କରିଥିଲେ। ଅପରପକ୍ଷେ ରଥଯାତ୍ରା ମାମଲାରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଗଗତକାଲି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାଖଲ କରାଯାଇଥିବା ସ୍ବତନ୍ତ୍ର ଲିଭ୍‌ ପିଟିସନ୍‌ (ଏସ୍‌ଏଲ୍‌ପି)କୁ ଶୁଣାଣି ପାଇଁ ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟ ତାଲିକାଭୁକ୍ତ କରିନାହାନ୍ତି। ଚଳିତ ମାସ ୨୩ ତାରିଖରେ ରଥଯାତ୍ରା ଥିବାବେଳେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନେଇନାହାନ୍ତି। ଓଡ଼ିଶା ବିକାଶ ପରିଷଦର ପିଟିସନ୍‌ରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ପୁରୀ ଜିଲ୍ଲାପାଳ ଓ ମନ୍ଦିର ପରିଚାଳନା କମିଟିକୁ ପକ୍ଷଭୁକ୍ତ କରାଯାଇଥିବାରୁ ସମସ୍ତ ପକ୍ଷ ଶୁଣାଣି ସମୟରେ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି ବୋଳି ଅନୁମାନ କରାଯାଉଛି। ଏତଦ୍‌ବ୍ୟତୀତ ଏହି ମାମଲାରେ ହାଇକୋର୍ଟ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାର ବିଚାର କରିବେ ବୋଲି ରାୟ ଦେଇଥିବାରୁ ଏହି ମର୍ମରେ ସୁପ୍ରିମକୋର୍ଟ ଏହି ଆବେଦନକୁ ହାଇକୋର୍ଟକୁ ପଠାଇ ଦେଇପାରନ୍ତି ବୋଲି କିଛି ବିଧି ବିଶେଷଜ୍ଞମାନେ ମତ ଦେଇଛନ୍ତି। କରୋନା ସ୍ଥିତତିରେ ରଥଯାତ୍ରା ଆୟୋଜନ ମାମଲା ଅତ୍ୟନ୍ତ ‌ସମ୍ବେଦନଶୀଳ ହୋଇଥିବାରୁ ସୁପ୍ରିମକୋର୍ଟଙ୍କ ନି‌ଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

ରଥ ପ୍ରତିଷ୍ଠା ପାଇଁ ଅନୁମତି, ବଡ଼ଦାଣ୍ଡରୁ ଉଠା ଦୋକାନ ହଟାଇବାକୁ ନିର୍ଦ୍ଦେଶ

ପୁରୀ: ଆଉ ମାତ୍ର ୬ ଦିନ ପ‌ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ମୁଣ୍ଡ ଉପରେ ଥିବା ରଥଯାତ୍ରାକୁ ନେଇ ପ୍ରତିଦିନ ଦ୍ବନ୍ଦ୍ବ ବଢ଼ୁଛି। ସେବକ, ପ୍ରଶାସନିକ ଅଧିକାରୀ, ପୁଲିସ ଓ ପୁରୀ ବାସିନ୍ଦା ରଥଯାତ୍ରାକୁ ନେଇ ସନ୍ଦେହରେ ଅଛନ୍ତି। ଆସନ୍ତା ୧୮ ତାରିଖରେ ସୁପ୍ରିମକୋର୍ଟରେ ହେବାକୁ ଥିବା ମାମଲାର ଶୁଣାଣି ଉପରେ ମହାପ୍ରଭୁଙ୍କ ରଥଯାତ୍ରା ଭବିଷ୍ୟତ ନିର୍ଭର କରୁଛି। ଏ ସମସ୍ତ ଦ୍ବନ୍ଦ୍ବକୁ ନେଇ କେବଳ ପୁରୀ ନୁହେଁ, ସାରା ରାଜ୍ୟର ସ‌ାଢ଼େ ୪ କୋଟି ଓଡ଼ିଆ, ଦେଶବିଦେଶର କୋଟି କୋଟି ଜଗନ୍ନାଥପ୍ରେମୀ ଘାଣ୍ଟି ହେଉଥିବାବେଳେ ସରକାରଙ୍କ ରଥ ନେଇ ମନୋଭାବ ସହଜରେ ବୁଝାପଡ଼ୁନାହିଁ। ଗୋଟିଏ ପଟେ ଦ୍ବନ୍ଦ୍ବ ବଢ଼ୁଥିବାବେଳେ ଅନ୍ୟ ପଟେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ରଥଯାତ୍ରା ପ୍ରସ୍ତୁତି ଜୋରଦାର କରିଛନ୍ତି। ଶ୍ରୀମନ୍ଦିର ପକ୍ଷରୁ ଚାଲିଥିବା ପ୍ରମୁଖ ପ୍ରସ୍ତୁତି ମଧ୍ୟରେ ରଥ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇଥିବା ରଥ ନିର୍ମାଣ ଶେଷ ହୋଇଛି। ଆଜି ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଅନୁମତି ଦେଇଛି। ଶ୍ରୀଗୁଣ୍ଡିଚା ଦିନ ହେବାକୁ ଥିବା ରଥ ପ୍ରତିଷ୍ଠା ପାଇଁ ଅନୁମତି ମିଳିବା ପରେ ରଥଯାତ୍ରା ହେବା ଏକପ୍ରକାର ନିଶ୍ଚିତ ହୋଇଛି। ସେହିଭଳି ଜିଲ୍ଲା ପ୍ରଶାସନ ମଧ୍ୟ ପୁରୀବାସୀଙ୍କ ମନରେ ଥିବା ଏକ ବଡ଼ ଦ୍ବନ୍ଦ୍ବ ଦୂର କରିଛନ୍ତି। ଆସନ୍ତା ତିନି ଦିନ ଭିତରେ ବଡ଼ଦାଣ୍ଡରେ ଥିବା ସମସ୍ତ ଉଠା ଦୋକାନ ବଡଦାଣ୍ଡରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆଜି ସନ୍ଧ୍ୟାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇ ଦୋକାନୀଙ୍କୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ରଥଯାତ୍ରା ପ୍ରସ୍ତୁତିକୁ ଆଗେଇ ନେଇଛନ୍ତି। ଏ ସମସ୍ତ ପ୍ରସ୍ତୁତିରୁ ପୁଣି ଥରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ନେଇ ଆଶା ସଂଚାର ହୋଇଛି।

ଅନ୍ୟପକ୍ଷରେ, ରଥ ନିର୍ମାଣ ସରିଥିଲେ ବି ରଥଯାଞ୍ଚ କରାଯାଇନାହିଁ। ତେବେ ପୁଲିସ ପକ୍ଷରୁ ଏ ନେଇ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ଥିବା ଘର ମାଲିକଙ୍କ ବିବରଣୀ ସଂଗ୍ରହ କରାଯାଇଛି। ପ୍ରତି ଘର ଆଗରେ ଜଣେ ପୁଲିସ କର୍ମଚାରୀ ନିୟୋଜିତ କରିବାର ଯୋଜନା ହୋଇଛି। ବଡ଼ଦାଣ୍ଡରେ ଥିବା ଘରର ଛାତ ଉପରକୁ ଯେମିତି କେହି ବାହାର ଲୋକ ଯାଇପାରିବେ ନାହିଁ, ତା’ ଉପରେ ନଜର ରଖିବାକୁ ବ୍ୟବସ୍ଥା କରାଯାଉଛି। କେଉଁ ରାସ୍ତା ସିଲ କରାଯିବ, କେଉଁଠି କେତେ ପୁଲିସ ରହିବେ ପୁଲିସ ମଧ୍ୟ ତା’ର ପ୍ରସ୍ତୁତି କରିଛି। ବିନା ଭକ୍ତରେ ରଥଯାତ୍ରା ହେବା ସମ୍ଭାବନା ଥିବାରୁ କେମିତି ରଥ ଯାତ୍ରା ନିୟନ୍ତ୍ରଣ ହେବ ସେଥିପାଇଁ ପୁଲିସ ନିଜ ଆଡ଼ୁ ପ୍ରସ୍ତୁତି ଚଳାଇଛି।

ସମ୍ବନ୍ଧିତ ଖବର