ରାମଲାଲାଙ୍କ ମଥାରେ ‘ସୂର୍ଯ୍ୟ ତିଳକ’ ଉଦ୍‌ଭାସିତ

ଅଯୋଧ୍ୟା: ରାମନବମୀ ଅବସରରେ ଆଜି ଅଯୋଧ୍ୟାର ରାମମନ୍ଦିରରେ ‘ସୂର୍ଯ୍ୟ ତିଳକ’ ଆକାରରେ ରାମଲାଲାଙ୍କ ମଥାରେ ସୂର୍ଯ୍ୟକିରଣ ପଡ଼ିଥିଲା। ଅପରାହ୍ଣ ୧୨ଟା ୧ମିନିଟରେ ରାମଲାଲାଙ୍କ କପାଳରେ ପ୍ରାୟ ଦୁଇରୁ ଅଢ଼େଇ ମିନିଟ୍ ଧରି ତିଳକ ଆକାରରେ ପଡ଼ିଥିବା ସୂର୍ଯ୍ୟକିରଣ ଦେଖିବାକୁ ମିଳିଥିଲା। ତିଳକର ଆକାର ୫୮ ମିଲିମିଟର ଥିଲା। ଅଯୋଧ୍ୟାରେ ପ୍ରାୟ ୧୦୦ଟି ସ୍ଥାନରେ ଲାଗିଥିବା ବଡ଼ ଏଲ୍ଇଡି ସ୍କ୍ରିନରେ ଏହି କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଦର୍ପଣ ଓ ଲେନ୍ସକୁ ନେଇ ଏକ ବିସ୍ତୃତ ବ୍ୟବସ୍ଥା ଦ୍ୱାରା ‘ସୂର୍ଯ୍ୟ ତିଳକ’ ସମ୍ଭବ ହୋଇପାରିଥିଲା। ଏହା ସୂର୍ଯ୍ୟଙ୍କ କିରଣକୁ ଶିକାରା ନିକଟସ୍ଥ ତୃତୀୟ ମହଲାରୁ ଗର୍ଭଗୃହରେ ପ୍ରତିଫଳିତ କରିବାରେ ସାହାଯ୍ୟ କରିଥିଲା। ମନ୍ଦିର ଗର୍ଭଗୃହକୁ ସିଧାସଳଖ ସୂର୍ଯ୍ୟକିରଣ ପ୍ରବେଶ କରିବାର କୌଣସି ଉପାୟ ନ ଥିବାରୁ ଏପରି କରାଯାଇଛି। ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ରୁର୍‌କିର ବୈଜ୍ଞାନିକମାନେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ ସହ ପରାମର୍ଶ କରି ଏହି ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି। ପବିତ୍ର ଜନ୍ମଦିନରେ ରାମଲାଲା ପଞ୍ଚାମୃତରେ ସ୍ନାନ କରି ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିଲେ। ଭଗବାନ ରାମଙ୍କୁ ୫୬ ପ୍ରକାରର ଭୋଗ ମଧ୍ୟ ଅର୍ପଣ କରାଯାଇଥିଲା ବୋଲି ରାମ ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି। ଏହି ରୀତିନୀତି ସମୟରେ ଆସାମରେ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସମଗ୍ର ଦେଶରେ ଏକ ନୂତନ ବାତାବରଣ ସୃଷ୍ଟି ହୋଇଛି। ମୋଦୀ ସାରା ବିଶ୍ୱର ରାମଭକ୍ତମାନଙ୍କୁ ଏହି ଅଦ୍ଭୁତ ମୁହୂର୍ତ୍ତର ସାକ୍ଷୀ ହେବାକୁ କହିଥିଲେ।

ସମ୍ବନ୍ଧିତ ଖବର