ଆଫଗାନମାନଙ୍କୁ ‌ଖୋଜି ଧରିବା ପାଇଁ ଆମେରିକୀୟ ‘ଡାଟାବେସ୍‌’ ବ୍ୟବହାର କରୁଛି ତାଲିବାନ୍‌ର ‘ଅଲ୍‌ ଇଶା’ ୟୁନିଟ୍‌

ନୂଆଦିଲ୍ଲୀ: ଆମେରିକୀୟ, ଆଫଗାନିସ୍ତାନର ‘ନ୍ୟାସ୍‌ନାଲ୍‌ ଡାଇରେକ୍ଟୋରେଟ୍‌ ଅଫ୍ ସିକ୍ୟୁରିଟି’ (ଏନ୍‌ଡିଏସ୍‌) ଏବଂ ଭାରତର ‘ରିସର୍ଚ ଆଣ୍ଡ୍‌ ଆନାଲିସିସ୍ ୱିଙ୍ଗ୍‌’ (ର’) କ୍ରୀଡ଼ନକମାନଙ୍କୁ (ହାତବାରିସ) କ୍ଷମା ନାହିଁ। ‘ଅଲ୍‌ ଇଶା’ ସେମାନଙ୍କ ଉପରେ ସଦାସର୍ବଦା ନଜର ରଖିବ ବୋଲି ତାଲିବାନ୍‌ର ‘ଅଲ୍‌ ଇଶା’ ୟୁନିଟ୍‌ର ଅନ୍ୟତମ ବ୍ରିଗେଡ୍‌ କମାଣ୍ଡର୍‌ ନୱାଜୁଦ୍ଦିନ୍‌ ହକ୍କାନି କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ‘ନାଟୋ’ ମିତ୍ରମାନଙ୍କୁ ସହାୟତା ପ୍ରଦାନ କରୁଥିବା ଆଫଗାନ୍‌ମାନଙ୍କୁ ଏହି ୟୁନିଟ୍‌ ଖୋଜି ଧରିବା ଲାଗି ‘ୟୁଏସ୍‌ ଡାଟା’ ବ୍ୟବହାର କରୁଛି ବୋଲି ସେ ସୂଚନା ଦେଇଛନ୍ତି।

‘ଜେଙ୍ଗାର୍‌ ନିଉଜ୍‌’ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର ସମୟରେ ନୱାଜୁଦ୍ଦିନ୍ ହକ୍କାନି କହିଛନ୍ତି, ମିତ୍ର ଶକ୍ତିଙ୍କୁ ସହାୟତା କରିଥିବା କିଂବା ଭାରତୀୟ ଗୁଇନ୍ଦାଙ୍କ ସହ କାର୍ଯ୍ୟ କରିଥିବା ଆଫଗାନ୍‌ବାସୀଙ୍କୁ ଧରିବା ପାଇଁ ଏହି ‘ୟୁନିଟ୍’ ଯୁକ୍ତରାଷ୍ଟ୍ର ଆମେରିକା ନିର୍ମିତ ‘ହ୍ୟାଣ୍ଡ୍‌-ସ୍କାନର୍‌’ ଏବଂ ତା’ର ‘ଡାଟାବେସ୍‌’ ଉପଯୋଗ କରୁଛି।

Image Courtesy of Press Reader

ଏହି ‘ଡାଟାବେସ୍‌’ ତାଲିବାନ୍‌ ହାତକୁ ଯିବା ଗୁରୁତର ବିଷୟ। କାରଣ ପ୍ରକୃତପକ୍ଷେ, ବିଗତ ସରକାର କିଂବା ଯୁକ୍ତରାଷ୍ଟ୍ର ଆମେରିକା ସେନାର ଅନୁବାଦକ, ଯାନ ଚାଳକ, ସେବିକା ଏବଂ ସଚିବ ଭାବେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଆଫଗାନବାସୀ ବିଗତ ୧୨ବର୍ଷ ଧରି ‘ବାୟୋମେଟ୍ରିକ୍‌ ଡାଟାବେସ୍‌’ ପାଇଁ ‘ସ୍କାନ୍‌’ ହୋଇଛନ୍ତି। ଏଥିରେ ସେମାନଙ୍କର ଟିପଚିହ୍ନ, ଆଖି ପିତୁଳା ଏବଂ ଅନ୍ୟାନ୍ୟ ତଥ୍ୟାବଳି ରହିଛି।

୨୦୧୦‌ରେ ଏହି ବାୟୋମେଟ୍ରିକ୍ସ୍‌ କେନ୍ଦ୍ର ଖୋଲାଯାଇଥିଲା। ୨୦୦୯ରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରାୟ ୩ ଲକ୍ଷ ଆଫଗାନବାସୀଙ୍କ ତଥ୍ୟାବଳି ସଂଗ୍ରହ ଆରମ୍ଭ କରିଥିଲା। ସେଥିରୁ ଅଧିକାଂଶ ଥିଲେ ଆଫଗାନ କଏଦୀ ଓ ସୈନିକ।

ଆଫଗାନିସ୍ତାନରେ ସମୁଦାୟ ୭୦୦୦ ‘ହ୍ୟାଣ୍ଡ୍‌-ହେଲ୍‌ଡ୍‌ ସ୍କାନର୍‌’ ଥିଲା। କେତେ ‘ସ୍କାନର୍‌’ ଛାଡ଼ି ଯାଇଛି, ଆମେରିକା ଏପର୍ଯ୍ୟନ୍ତ ସୁନିଶ୍ଚିତ କରି କହିନାହିଁ।

‘ଅଲ୍‌ ଇଶା’ ୟୁନିଟ୍‌ରେ ପାକିସ୍ତାନ ସମ୍ପୃକ୍ତ କି, ନାହିଁ ପଚରାଯିବାରୁ ସେ କହିଲେ, ଯଦି କୌଣସି ଭାରତୀୟ ଗୁଇନ୍ଦା ଚିହ୍ନଟ ହୁଅନ୍ତି, ପାକିସ୍ତାନ ସମ୍ବନ୍ଧରେ ଅନ୍ବେଷଣ କରାଯିବ।

ସମ୍ବନ୍ଧିତ ଖବର