ଏୟାର ଇଣ୍ଡିଆର ସିଇଓ ହେଲେ ଇଲକର ଆଇସ

ନୂଆଦିଲ୍ଲୀ: ଇଲକର ଆଇସଙ୍କ ସିଇଓ ନିଯୁକ୍ତ କଲା ଏୟାର ଇଣ୍ଡିଆ। ଇଲକର ଆଇସଙ୍କୁ ସିଇଓ ନିଯୁକ୍ତ କରିବା ପାଇଁ ଏୟାର ଇଣ୍ଡିଆ ବୋର୍ଡ ଆଜି ଅପରାହ୍ନରେ ଏକ ବୈଠକ କରିଥିଲା। ବୈଠକ ଶେଷରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଇଲକର ଆଇସି ପୂର୍ବରୁ ତୁର୍କୀ ଏୟାରଲାଇନ୍ସର ଅଧ୍ୟକ୍ଷ ଥିଲେ।

ଟାଟା ସନ୍ସ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ, ଇଲକର ଜଣେଉଡାଣ ଶିଳ୍ପର ଆଗ୍ରଗଣ୍ୟ ବ୍ୟକ୍ତି ଯିଏକି ସେଠାରେ ଥିବା ସମୟରେ ତୁର୍କୀ ଏୟାରଲାଇନ୍ସକୁ  ସଫଳତା ଦିଗରେ ଆଗେଇ ନେଇଥିଲେ। ଇଲକରଙ୍କୁ ଟାଟା ଗ୍ରୁପକୁ ସ୍ୱାଗତ କରି ଆମେ ଆନନ୍ଦିତ। ସିଇଓ ଭାବେ ସେ ଏୟାର ଇଣ୍ଡିଆକୁ ନୂଆ ଯୁଗ ଆଡ଼କୁ ଆଗେଇ ନେବେ ବୋଲି ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି।

ତେବେ ଆଇସ୍ ଏପ୍ରିଲ୍ ୧, ୨୦୨୨ କିମ୍ବା ତା’ ପୂର୍ବରୁ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

Tata Group appoints Ilker Ayci as the CEO & MD of Air India - The Economic Times
economictimes

ଉଲ୍ଲେଖଯୋଗ୍ୟ, ଜାନୁଆରି ୨୭ରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ଟାଟା ଗ୍ରୁପକୁ ହସ୍ତାନ୍ତର କରିଥିଲେ । ଫଳରେ ଦୀର୍ଘ ୬୯ ବର୍ଷ ପରେ ପୁଣି ଥରେ ଏୟାର ଇଣ୍ଡିଆ ଟାଟା ଗ୍ରୁପ ଅଧିନକୁ ଆସିଥିଲା । ଟାଟା ଗ୍ରୁପ୍‌ର ପୂର୍ବତନ ମୁଖ୍ୟ ଜେଆର୍‌ଡି ଟାଟାଙ୍କ ଉଦ୍ୟମରେ ୧୯୩୨ରେ ଏୟାର ଇଣ୍ଡିଆର ଜନ୍ମ ହୋଇଥିଲା। ଟାଟା ଏୟାରଲାଇନ୍ସ ନାମରେ ଟାଟା ତାହାକୁ ପ୍ରତିଷ୍ଠା କରିଥିଲେ। ପାଇଲଟ୍‌ ଭାବେ ପ୍ରଥମ ଲାଇସେନ୍ସ ପାଇଥିବା ଜେଆର୍‌ଡିଙ୍କ ବିମାନ ଚଳାଚଳ ପ୍ରତି ଅହେତୁକ ଆଗ୍ରହ ଥିଲା। ମନ ପ୍ରାଣ ଦେଇ ସେ ଅତି ଯତ୍ନର ସହ ନିଜର ପିଲା ଭଳି ଏୟାର ଇଣ୍ଡିଆକୁ ଗଢ଼ିଥିଲେ। ଭାରତୀୟଙ୍କୁ ଆକାଶରେ ଉଡ଼ିବା ବେଳେ ସବୁଠୁ ଭଲ ଅନୁଭୂତି ପ୍ରଦାନ କରିବା ତାଙ୍କର ଲକ୍ଷ୍ୟ ଥିଲା। ୧୯୪୬ରେ ଟାଟା ଏୟାରଲାଇନ୍ସର ନାମକୁ ପରିବର୍ତ୍ତନ କରି ଏୟାର ଇଣ୍ଡିଆ ରଖାଯାଇଥିଲା। ୧୯୪୮ରେ କଂପାନି ଏହାର ପ୍ରଥମ ଆନ୍ତର୍ଜାତିକ ଉଡ଼ାଣ ଆରମ୍ଭ କରିବା ସହ ୟୁରୋପ ଯାତ୍ରା କରିଥିଲା। ୧୯୫୩ରେ ଜବାହରଲାଲ ନେହେରୁଙ୍କ ଅମଳରେ ଏୟାର ଇଣ୍ଡିଆର ଜାତୀୟକରଣ ହୋଇଥିଲା ଓ ତାହା କେନ୍ଦ୍ର ସରକାରଙ୍କ ହାତକୁ ଚାଲିଯାଇଥିଲା।

ସମ୍ବନ୍ଧିତ ଖବର