ଏହି ବ୍ୟକ୍ତିଙ୍କ ଲାଗି ବଞ୍ଚିଗଲା ଶହଶହ ଜୀବନ, ୩୦୦୦ ଫୁଟ୍ ଉପରେ ଧକ୍କା ହେଉହେଉ ବର୍ତ୍ତିଗଲା ଦୁଇ ବିମାନ

ବେଙ୍ଗାଲୁରୁ: ବେଳେ ବେଳେ କୌଣସି ଅଘଟଣର ସମ୍ମୁଖୀନ ହେଉହେଉ ଅଳ୍ପକେ ବର୍ତ୍ତିଯିବା ପରେ ଆମ ପାଟିରୁ ସ୍ବତଃ ବାହାରି ଆସେ-‘ଭଗବାନ ବଞ୍ଚାଇଦେଲେ।’ ଇଏ ଠିକ ସେହିଭଳି ଏକ ଘଟଣା। ଯେଉଁଠି ଭଗବାନଙ୍କ ଭଳି କାର୍ଯ୍ୟ କରିଛନ୍ତି  ଜଣେ ସାଧାରଣ ବ୍ୟକ୍ତି ! ତାଙ୍କର କର୍ତ୍ତବ୍ୟନିଷ୍ଠା ଓ ପ୍ରତ୍ୟୁତ୍ପନ୍ନମତିତା ଯୋଗୁ ବଞ୍ଚିଯାଇଛି ଶହଶହ ବିମାନଯାତ୍ରୀଙ୍କ ଜୀବନ। ଆଉ ଏହି ଶହଶହ ବିମାନଯାତ୍ରୀଙ୍କ ଭିତରେ ବି ଥିଲେ ବହୁ ଓଡ଼ିଆ। ୩୦୦୦ ଫୁଟ୍ ଉପରେ ମଝିଆକାଶରେ ମୁହାଁମୁହିଁ ଧକ୍କା ହେବାରୁ ବର୍ତ୍ତି ଯାଇଥିଲେ ଦୁଇଟି ବିମାନ କେବଳ ସେହି ବ୍ୟକ୍ତିଙ୍କ ଲାଗି। ଘଟଣାଟି ଜାନୁଆରି ୭ ତାରିଖ ସକାଳ ସମୟର, କିନ୍ତୁ ଆଜି ଗଣମାଧ୍ୟମକୁ ଆସିଛି।

ବେଙ୍ଗାଲୁରୁର କେମ୍ପ‌େଗୌଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଟ୍ରାଫିକ କଂଣ୍ଟ୍ରୋଲର ତ୍ରୁଟିପୂର୍ଣ୍ଣ ନିର୍ଦ୍ଦେଶ ହେତୁ ଉତ୍ତର ଓ ଦକ୍ଷିଣ ରନୱେ ଉପରୁ ସମଦିଗରେ ଏକାବେ‌ଳେକେ ଦୁଇଟି ଇଣ୍ଡିଗୋ ବୋଇଂବିମାନ ଟେକ-ଅଫ୍ କଲେ। ଭୁବନେଶ୍ବର ଅଭିମୁଖୀ ଇଣ୍ଡିଗୋ ୬ଇ୨୪୬ ଓ କୋଲକାତା ଅଭିମୁଖୀ ଇଣ୍ଡିଗୋ ୬ଇ୪୫୫ ବିମାନକୁ ଉଭୟ ରନଓ୍ବେରୁ ଉଠି ସାରିଥିଲେ। ଏପରି ସ୍ଥଳେ ଆକାଶକୁ ଯାଇ ଦୁଇ ବିମାନ ପରସ୍ପର ସହ ପିଟି ହେବା ଏକ ପ୍ରକାର ନିଶ୍ଚିତ। ଏହି ସମୟରେ କଂଣ୍ଟ୍ରୋଲ ରୁମରେ ଡ୍ୟୁଟିରେ ଥିବା ଆପ୍ରୋଚ୍ ରାଡାର କଣ୍ଟ୍ରୋଲର  ଲୋକେନ୍ଦ୍ର ସିଂହଙ୍କ ନଜର ପଡ଼ିଗଲା ରାଡାର ପରଦାରେ ଥିବା ଦୁଇ ବିମାନ ଉପରେ। କାଳବିଳମ୍ବ ନ କରି ୪୨ବର୍ଷିୟ ଲୋକେନ୍ଦ୍ର ଦୁଇ ବିମାନର ପାଇଲଟଙ୍କୁ ବିମାନର ମୁହଁର ଦିଗ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଅବସ୍ଥା ବୁଝି ପାଇଲଟ ଦୁହେଁ ତୁରନ୍ତ ବିମାନଦ୍ବୟକୁ ବିପରୀତମୁଖୀ କରିଥିଲେ। ଫଳରେ ଅଳ୍ପକେ ଏକ ବିରାଟ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ଦୁଇ ଇଣ୍ଡିଗୋ ବୋଇଂ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଲୋକେନ୍ଦ୍ର ସିଂହଙ୍କ ତତ୍ପରତା ଓ ସମୟାନୁବର୍ତ୍ତୀ ପଦକ୍ଷେପ ନିଶ୍ଚିତ ଭାବେ ପ୍ରଶଂସାର ଦାବି ରଖେ।

BangaloreMirror

ତେବେ ଏହି ତ୍ରୁଟି ସଂପର୍କରେ ଘଟଣା ସଂପର୍କରେ ସେଦିନ ଏୟାରପୋର୍ଟ ଅଥରିଟିଙ୍କୁ ସୂଚନା ଦିଆଯାଇ ନଥିବା ଜଣାପଡ଼ିଛି। ଏଥିସହ ବିମାନବନ୍ଦରର ଲଗବୁକରେ ମଧ୍ୟ ଏହାର ଉଲ୍ଲେଖ କରାଯାଇନାହିଁ। ତେବେ ଏଏଆଇ ପକ୍ଷରୁ ଏହାର ତଦନ୍ତ କରାଯାଉଛି ଓ ଅବହେଳା ଲାଗି ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ‌ ବୋଲି କୁହାଯାଇଛି।

ମିଳିଥିବା ରିପୋର୍ଟ ଅନୁସାରେ ଏହି ଏୟାରପୋର୍ଟର ଉତ୍ତର ଓ ଦକ୍ଷିଣ ରନଓ୍ବେକୁ ଏକକାଳୀନ ବିମାନ ଡିପାର୍ଚର ପାଇଁ ବ୍ୟବହାର କରାଯାଏ ନାହିଁ । କାରଣ ଏପରି ହେଲେ ଦୁଇଟି ବିମାନ ଆକାଶରେ ଧକ୍କା ହେବାର ଆଶଙ୍କା ରହିଥାଏ । ସାଧାରଣତଃ, ଉତ୍ତର ରନଓ୍ବେକୁ ଡିପାର୍ଚର ( ବିମାନ ଉଡ଼ାଣ ଆରମ୍ଭ କରିବା) ପାଇଁ ଓ ଦକ୍ଷିଣ ରନଓ୍ବେକୁ ଆରାଇଭାଲ ( ବିମାନ ଓହ୍ଲାଇବା ) ପାଇଁ ବ୍ୟବହାର କରାଯାଏ । କିନ୍ତୁ ସେଦିନ ଭୁବନେଶ୍ବର ଅଭିମୁଖୀ ଇଣ୍ଡିଗୋ ୬ଇ୨୪୬ ଓ କୋଲକାତା ଅଭିମୁଖୀ ଇଣ୍ଡିଗୋ ୬ଇ୪୫୫ ବିମାନକୁ ଉଭୟ ରନଓ୍ବେରେ ଡିପାର୍ଚର ପାଇଁ ଅନୁମତି ଦିଆଯାଇଥିଲା । ଫଳରେ ଦୁଇଟି ଯାକ ବିମାନ ରନୱେରୁ ଉଡାଣ ଲାଗି ବାହାରି ଯାଇଥିଲେ। କୁହାଯାଉଛି, କି ଦୁଇ ବିମାନ ଘଟଣା ସମୟରେ ୩୦୦୦ ଫୁଟ୍ ଉପରେ ଉଡୁଥିଲେ।

ସମ୍ବନ୍ଧିତ ଖବର