ଦିଲ୍ଲୀମୁହାଁ ୫୦ ହଜାର ଚାଷୀ

ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେଲେ ଚାଷୀ ସଂଗଠନ

ନୂଆଦିଲ୍ଲୀ : ସଂସଦରେ ଗୃହୀତ ନୂଆ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ଭାରତୀୟ କିଷାନ ୟୁନିୟନ (ବିକେୟୁ) ସୁପ୍ରିମ୍‌ କୋର୍ଟରେ ମାମଲା ଦାଏର କରିଛି। ଏଥିରେ କୁହାଯାଇଛି ଯେ ଏହି ଆଇନ ଯୋଗୁଁ ସମଗ୍ର ଦେଶରେ କୃଷକଙ୍କ ସଙ୍କଟ ବଢ଼ିବ ଏବଂ କର୍ପୋରେଟ୍‌ ପ୍ରଲୋଭନ ଯୋଗୁଁ କୃଷକଙ୍କ ପାଇଁ ଅସୁରକ୍ଷିତ ବାତାବରଣ ସୃଷ୍ଟି ହେବ। ସଂସଦରେ ଗୃହୀତ ସମସ୍ତ ୩ଟି କୃଷି ଆଇନକୁ ଅସାମ୍ବିଧାନିକ ଘୋଷଣା ସହ ଏହାକୁ ରଦ୍ଦ କରିବା ପାଇଁ ନିବେଦନ କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ସୁପ୍ରିମ୍‌ କୋର୍ଟ କୃଷି ଆଇନକୁ ଚ୍ୟାଲେଂଜ କରି ଦାଖଲ ହୋଇଥିବା ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଥିଲେ। ଏବେ କୃଷକ ସଂଗଠନ ପକ୍ଷରୁ ମାମଲା ଦାଏର ହୋଇଥିବାରୁ ଆଗକୁ ଆଇନଗତ ଲଢ଼େଇ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି।

କିଷାନ ମଜଦୁର ସଂଘର୍ଷ ସମିତି ମଧ୍ୟ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନରେ ଭାଗ ନେବାପାଇଁ ଯାତ୍ରା ଆରମ୍ଭ କରିଦେଇଛି। ହଜାର ହଜାର ଚାଷୀ ଟ୍ରାକ୍ଟରରେ ଦିଲ୍ଲୀ ସୀମା ଆଡ଼କୁ ବଢ଼ୁଛନ୍ତି। ୫୦ ହଜାର ଚାଷୀ ଦିଲ୍ଳୀ ଯିବା ଲାଗି ପ୍ରସ୍ତୁତ ହେଉଛନ୍ତି ବୋଲି ଜଣ‌ାପଡ଼ିଛି। କୃଷକ ଆନ୍ଦୋଳନ ଆଜି ୧୬ ଦିନରେ ପହଂଚିଥିବା ବେଳେ ଆନ୍ଦୋଳନ ଯୋଗୁଁ କରୋନା ସଂକ୍ରମଣ ମଧ୍ୟ ବ୍ୟାପକ ହେବା ଆଶଙ୍କା ପ୍ରକାଶ ପାଇଛି। ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କ କରୋନା ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଇତିମଧ୍ୟରେ ଆଜି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି, ସରକାର ଯେଉଁ ଲିଖିତ ପ୍ରସ୍ତାବ ଚାଷୀ ସଂଗଠନମାନଙ୍କୁ ଦେଇଥିଲେ ସେ ବାବଦରେ ଏ ପର୍ଯ୍ୟନ୍ତ କୌଣସି ଜବାବ ମିଳିନାହିଁ। ଚାଷୀ ନେତାମାନେ କେବଳ ଗଣମାଧ୍ୟମରେ ବିବୃତି ଦେଇ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା କହିଛନ୍ତି, କିନ୍ତୁ ପରବର୍ତ୍ତୀ ଆଲୋଚନା କିମ୍ବା ସମାଧାନ ପନ୍ଥା ବାହାର କରିବାକୁ କୌଣସି ପ୍ରସ୍ତାବ ଦେଇନାହାନ୍ତି। ଅନ୍ୟପକ୍ଷରେ ଜେଜେପି ନେତା ତଥା ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତାଲା କହିଛନ୍ତି ଯେ ଏମ୍‌ଏସ୍‌ପିକୁ ନେଇ କୌଣସି ସାଲିସ୍‌ କରାଯିବ ନାହିଁ। ଏହି ବ୍ୟବସ୍ଥାକୁ ଯଦି ସେ ସୁନିଶ୍ଚିତ ନକରିବେ ତାହାହେଲେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ।

ସମ୍ବନ୍ଧିତ ଖବର